
ନୂଆଦିଲ୍ଲୀ,୧୮ା୧୨: ରାଜଧାନୀ ଦିଲ୍ଲୀର ରୋହିଣୀସ୍ଥିତ ଅଦାଲତର ୧୦୨ ନମ୍ବର କୋଠରିରେ ଚଳିତ ମାସ ୯ରେ ହୋଇଥିବା ବିସ୍ଫୋରଣ ପାଇଁ ଜଣେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକ ଦାୟୀ। ଏହା ଜଣା ପଡ଼ିବା ପରେ ଦିଲ୍ଲୀ ପୁଲିସ ଶନିବାର ତାଙ୍କୁ ଗିରଫ କରିଛି। ବ୍ୟକ୍ତିଗତ ବିବାଦକୁ ନେଇ ଜଣେ ଓକିଲଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ଏହି ବିସ୍ଫୋରଣ ଘଟାଇଥିଲେ ଏବଂ ଏଥିରେ ଆଇଇଡି ଭଳି ବିସ୍ଫୋରକ ବ୍ୟବହୃତ ହୋଇଥିଲା ବୋଲି ପୁଲିସ କହିଛି।
ସିସିଟିଭି ଚିତ୍ର ଓ ଅନ୍ୟ ପ୍ରମାଣ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି ଏବଂ ସେ ଦୋଷ ସ୍ବୀକାର କରିଥିବା ପ୍ରକାଶ। ଓକିଲଙ୍କୁ ହତ୍ୟା କରିବା ତାଙ୍କର ଅଭିପ୍ରାୟ ଥିଲା ବୋଲି ସେ କହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ନିଶାଣରେ ଥିବା ଆଇନଜୀବୀ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ୧୦ରୁ ଅଧିକ ମାମଲା ରୁଜୁ କରିଥିଲେ ଓ ଏଥିରେ କ୍ଷୁବ୍ଧ ବୈଜ୍ଞାନିକ ମାନସିକ ଭାରସାମ୍ୟ ହରାଇ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ପୁଲିସ କହିଛି।
ସେ ଆଇଇଡି ବିସ୍ଫୋରକ ବ୍ୟବହାର ଓ ବୋମା ପ୍ରସ୍ତୁତି ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଆଇଇଡି ବିସ୍ଫୋରକ ଥିବା ବୋମା ଠିକ୍ ଭାବେ ବନ୍ଧା ହୋଇ ନ ଥିବାରୁ ବିସ୍ଫୋରଣର ମାତ୍ରା ସ୍ବଳ୍ପ ଥିଲା; ନଚେତ୍ ଏହା ବଡ଼ ଅଘଟଣ ଘଟାଇବା ଆଶଙ୍କା ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ବିସ୍ଫୋରଣରେ ମାତ୍ର ଜଣେ ଆହତ ହୋଇଥିଲାବେଳେ ବିଶେଷ କିଛି କ୍ଷୟକ୍ଷତି ଘଟି ନ ଥିଲା। ପୂର୍ବରୁ ଏହି ଘଟଣା ପଛରେ ଇସ୍ଲାମିକ ଆତଙ୍କବାଦୀ ଗୋଷ୍ଠୀ ସମ୍ପୃକ୍ତ ଥିବା କୁହାଯାଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍