September 8, 2024

Satya News

odia news channel

ତେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ମହିଳା ଶାଖାର ବିକ୍ଷୋଭ: ଗ୍ୟାସ ଟାଙ୍କି ଧରି ଏଡିଏମ ଅଫିସ ଆଗରେ ବିକ୍ଷୋଭ

 

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ଓ ଏଲପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ବିରୋଧରେ ରାଜରାସ୍ତାକୁ ଓହ୍ଳାଇଛି ବିଜେଡି। ଭୁବନେଶ୍ୱର ଲୋକସେବା ଭବନ ପଛ ଗେଟ୍ ପେଟ୍ରୋଲ ପମ୍ପ ନିକଟରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ଦଳର ତୁଙ୍ଗ ନେତାଙ୍କ ସହ ହଜାର ହଜାର କର୍ମୀ ଶୋଭାଯାତ୍ରାରେ ଯାଇ ଏଡିଏମ୍ ଅଫିସ ଆଗରେ ଗଣଧାରଣା ଦେବେ।
ଗତକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ଆଜିଠାରୁ ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିବାଦ କରୁଛି ବିଜେଡି। ଆଜି ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜେଡି ପକ୍ଷରୁ ପ୍ରତିବାଦ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ। ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଗ୍ୟାସ ଟାଙ୍କି ରଖି ଚୁଲିଜାଲି ପ୍ରତିବାଦ କରାଯାଇଥିଲା। ସାଇକେଲ ଶୋଭାଯାତ୍ରା କରି ବିଜୁ ଯୁବ ଓ ମହିଳା ବିଜେଡି କର୍ମୀ ଦଳୀୟ କାର୍ଯ୍ୟାଳୟରୁ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଏକ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ। ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରଛି ବିଜୁ ଜନତା ଦଳ।
ମୁଖ୍ୟତଃ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ହେଉଥିବାରୁ ବିଜେଡି ପକ୍ଷରୁ ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରାଯାଇଥିଲା। ଶତାଧିକ ବିଜେଡି କର୍ମୀ ଶଗଡ଼, ସାଇକେଲ୍, ଘୋଡ଼ା, ରିକ୍ସା ଓ ଗ୍ୟାସ୍ ସିଲିଣ୍ଡର ଧରି କେଶରୀ ହଲ୍ ନିକଟରୁ ଶୋଭାଯାତ୍ରାରେ ବାହାରି ରାଜଭବନ ସମ୍ମୁଖକୁ ଆସିଥିଲେ। ରାସ୍ତା ଉପରେ କାଠ ଚୁଲି ଜାଳି ପ୍ରତିବାଦ କରିଥିଲେ। ତେଲ, ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଯୋଗୁଁ କିପରି ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ତାହା ବିଜେଡି କର୍ମୀମାନେ ରାଜରାସ୍ତାରେ ଦେଖାଇଥିଲେ।

Spread the love