September 19, 2024

Satya News

odia news channel

ଦିଲ୍ଲୀର ଆପ୍ ସରକାରର ଆଉ ଏକ ଦୁର୍ନୀତି ? ସ୍କୁଲ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା, ରିପୋର୍ଟ ମାଗିଲେ ଉପରାଜ୍ୟପାଳ

 

ନୂଆଦିଲ୍ଲୀ : ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍ ) ସରକାର ବିରୋଧରେ ଅବକାରୀ ଦୁର୍ନୀତିର ତଦନ୍ତ ଚାଲିଥିବାବେଳେ ଆଉ ଏକ ଦୁର୍ନୀତି ଅଭିଯୋଗ ହୋଇଛି । ଦିଲ୍ଲୀର ସରକାରୀ ସ୍କୁଲଗୁଡ଼ିକ ପାଇଁ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ଏହି ଅନିୟମିତତା ସଂପର୍କରେ ଅଢେଇ ବର୍ଷ ତଳେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଜାଣିବାକୁ ପାଇଥିଲେ । ଏ ସଂପର୍କରେ ସିଭିସି ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏ ସଂପର୍କରେ ଅଧିକ ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗକୁ କୁହାଯାଇଥିଲା ।  ସିଭିସି ଏହି ୨୦୨୦, ଫେବ୍ରୁଆରି ୧୭ରେ ଏହି ରିପୋର୍ଟକୁ ରାଜ୍ୟ ଭିଜିଲାନ୍ସ ବିଭାଗର ମତାମତ ପାଇଁ ପଠାଇଥିଲେ । ମାତ୍ର ଅଢେଇ ବର୍ଷ ହେଲା ଭିଜିଲାନ୍ସ ବିଭାଗ ଏହି ତଦନ୍ତ କରୁନଥିବାରୁ ଶୁକ୍ରବାର ଦିନ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଅସନ୍ତୋଷ ପ୍ରକଟ କରିବା ସହ ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନିଜ ଯାଞ୍ଚ ରିପୋର୍ଟରେ ସିଭିସି ଦର୍ଶାଇଥିଲେ ଯେ ଦିଲ୍ଲୀ ସରକାର ଯେତିକି ସଂଖ୍ୟକ ଶ୍ରେଣୀଗୃହ ନିର୍ମାଣ କରିବା ବିଷୟ ଦାବି କରୁଛନ୍ତି, ପ୍ରକୃତରେ ତାଠାରୁ କମ ସଂଖ୍ୟକ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା । ବିମାନ ଟେଣ୍ଡରରେ କାମ କରାଯାଇଥିଲା ଓ ନିର୍ମାଣ ଖର୍ଚ୍ଚ ୫୦୦ କୋଟି ଟଙ୍କା ଅଧିକ ହୋଇଥିଲା । ନିର୍ମାଣ କାର୍ଯ୍ୟରେ କେନ୍ଦ୍ର ପୂର୍ତ୍ତବିଭାଗ (ସିପିଡବ୍ଲୁଡି) ର ମାନୁଆଲର ପାଳନ କରାଯାଇନଥିଲା, ନିମ୍ନ ମାନର ନିର୍ମାଣ ସାମଗ୍ରୀର ବ୍ୟବହାର କରାଯାଇଥିଲା, ମରାମତି କାମ ପାଇଁ ଅତ୍ୟଧିକ ପରିମାଣର ବିଲ କରାଯାଇଥିଲା ।

 

Spread the love