November 14, 2024

Satya News

odia news channel

ଦେଢ଼ ଲକ୍ଷ ବିନିଯୋଗ କରି ଲକ୍ଷେ ଟଙ୍କା ରୋଜଗାର, ସ୍ବାବଲମ୍ବୀ ହୋଇଛନ୍ତି ପିଣ୍ଡାମାଳ ଝାଡ଼ୁ ଉତ୍ପାଦକ ଗୋଷ୍ଠୀ

 

ନାରାୟଣପାଟଣା: ଦେଢ଼ ଲକ୍ଷ ବିନିଯୋଗ କରି ଆରମ୍ଭ କରିଥିଲେ ଝାଡ଼ୁ ବ୍ୟବସାୟ। ପ୍ରାୟ ତିନି ମାସ ବ୍ୟବସାୟ କରି ଏଥିରୁ ଲାଭ ପାଇଲେ ପ୍ରାୟ ଲକ୍ଷେ ଟଙ୍କା। ଏଭଳି ସଫଳ ବ୍ୟବସାୟ ଗୋଷ୍ଠୀ ହେଲେ ନାରାୟଣପାଟଣା ବ୍ଲକ୍ ତେନ୍ତୁଳିପଦର ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାମାଳ ଗ୍ରାମର ମହିଳାମାନେ।
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାମାଳ ଗ୍ରାମ ପାହାଡ଼ ଉପରେ ରହିଛି। ଏହି ଗ୍ରାମବାସୀ ଗାଁ ନିକଟସ୍ଥ ବଣରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ତେବେ ଏହି ଅଞ୍ଚଳରେ ବିଶେଷ କରି ଝାଡ଼ୁ ପ୍ରଚୁର ପରିମାଣର ହେଉଥିବାରୁ ଗ୍ରାମର ପ୍ରାୟ ୨୦ ଜଣ ମହିଳା ଏକତ୍ରିତ ହୋଇ ଝାଡ଼ୁ ଉତ୍ପାଦକ ଦଳ ଗଠନ କରି ଝାଡ଼ୁ ବ୍ୟବସାୟ କରିବାକୁ ମନସ୍ଥ କରିଥିଲେ। ଆଉ ଏଥିରେ ସହାୟତାର ହାତ ବଢ଼ାଇଥିଲା ଓରମାସ୍ ଏବଂ କୋରାପୁଟର ଏଗ୍ରୋ ପ୍ରଡକ୍ସନ୍ ପ୍ରଡ୍ୟୁସର କମ୍ପାନି।
ଓଏଲଏମ୍ ପକ୍ଷରୁ କୋରାପୁଟର ଏଗ୍ରୋ ପ୍ରଡ୍ୟୁସର କମ୍ପାନି ମାଧ୍ୟମରେ ଝାଡ଼ୁ ପ୍ରସ୍ତୁତ ସଂପର୍କରେ ଏହି ୨୦ ଜଣିଆ ଝାଡ଼ୁ ଉତ୍ପାଦକ ଦଳକୁ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହ ଆର୍ଥିକ ସହାୟତା ବ୍ୟବସ୍ଥା କରାଯିବା ପରେ ସେମାନ ଝାଡ଼ୁ ତିଆରି କରି ତାକୁ ବିକ୍ରି କରିବା ଆରମ୍ଭ କରିଥିଲେ। ଏହି ଝାଡ଼ୁ ଗୁଡ଼ିକୁ କୋରାପୁଟର ଏଗ୍ରୋ ପ୍ରଡକ୍ସନ ପ୍ରଡ୍ୟୁସର କମ୍ପାନି ମାଧ୍ୟମରେ ରାଜ୍ୟ ସମେତ ଜଗଦଲପୁରକୁ ନେଇ ବିକ୍ରି କରାଯାଉଛି। ଗୋଟିଏ ଝାଡ଼ୁ ପ୍ରସ୍ତୁତ କରି ତାକୁ ଷ୍ଟିଲ ହ୍ୟାଣ୍ଡେଲ ଲଗାଇ ୫୫ ଟଙ୍କାରେ ବିକ୍ରି କରୁଥିଲା ବେଳେ ପ୍ଲାଷ୍ଟିକ୍ ହ୍ୟାଣ୍ଡେଲ ଲଗାଇ ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏଥିସହ ଝାଡ଼ୁ ଖୋଲାରେ କିଲୋ ପ୍ରତି ୧୦୦ ହିସାବରେ ମଧ୍ୟ ବିକ୍ରି କରୁଛନ୍ତି। ଏହି ଝାଡ଼ୁ ଉତ୍ପାଦକ ଦଳକୁ ଓରମାସ ପକ୍ଷରୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ଝାଡ଼ୁ ବ୍ୟବସାୟ ପାଇଁ ଦେଢ଼ ଲକ୍ଷ ଟଙ୍କା ବିନିଯୋଗ କରିଥିଲା ବେଳେ ପ୍ରାୟ ୨ ଲକ୍ଷ ୫୮ହଜାର ଟଙ୍କାର ଝାଡ଼ୁ ବିକ୍ରି କରିଛନ୍ତି। ସେଥିରୁ ୧ ଲକ୍ଷ ଟଙ୍କା ଲାଭ ପାଇଥିବା ଉତ୍ପାଦକ ଦଳର ସଭାପତି ରାଣୀ ତାଡ଼ିଙ୍ଗି କହିଛନ୍ତି। ବର୍ତ୍ତମାନ ସେମାନଙ୍କ ନିକଟରେ ୧୦ କୁଇଣ୍ଟାଲ ଝାଡ଼ୁ ଗଚ୍ଛିତ ରହିଥିବା କହିଛନ୍ତି।
Spread the love