July 5, 2025

ନକଲୀ ବିଶ୍ୱବିଦ୍ୟାଳୟଙ୍କୁ ସାବଧାନ! ଆଡମିସନ ପୂର୍ବରୁ ଦେଖି ନିଅନ୍ତୁ ୟୁଜିସିଙ୍କ ସୂଚୀ

 

ନୂଆଦିଲ୍ଲୀ ୨୬।୮: ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ଶୁକ୍ରବାର ୨୪ ଆତ୍ମଘୋଷିତ ସଂସ୍ଥାଙ୍କୁ ନକଲୀ ଘୋଷଣା କରିଛନ୍ତି। ଏହା ଛଡା ଏଥିରେ ଏପରି କିଛି ସଂସ୍ଥା ଅଛନ୍ତି ଯେଉଁମାନେ ୟୁଜିସିଙ୍କ ନିୟମ ଓ ମାର୍ଗଦର୍ଶନ ପାଳନ କରୁନଥିବାରୁ ବିଶ୍ୱବିଦ୍ୟାଳୟଙ୍କ ତାଲିକାରୁ ବାଦ ପଡିଛନ୍ତି। ଏପରି ୟୁନିଭର୍ସିଟିଙ୍କ ରାଜ୍ୟବାରୀ ସୂଚନା ୟୁଜିସିଙ୍କ ଅଧିକାରୀକ ୱେବ ସାଇଟ୍ ୟୁଜିସି ଡଟ୍ ଏସି ଡଟ୍ ଆଇଏନରେ ଉପଲବ୍ଧ କରାଯାଇଛି।

ୟୁଜିସିଙ୍କ ପ୍ରକାଶିତ ତାଲିକା ଅନୁସାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସବୁଠୁ ଅଧିକ ନକଲୀ ୟୁନିଭର୍ସିଟି ଅଛନ୍ତି। ଦେଶର ୨୪ଟି ନକଲୀ ବିଶ୍ୱବିଦ୍ୟାଳୟଙ୍କ ମଧ୍ୟରୁ ୮ଟି କେବଳ ଦିଲ୍ଲୀରୁ ସଞ୍ଚାଳିତ ହେଉଛନ୍ତି। ଏହା ପଛକୁ ଦ୍ୱିତୀୟ ନମ୍ବରରେ ରହିଛି ଉତ୍ତରପ୍ରଦେଶ। ରାଜ୍ୟରେ ୪ଟି ନକଲୀ ୟୁନିଭର୍ସିଟି କାର୍ଯ୍ୟ କରୁଛନ୍ତି। ସେହିପରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଦୁଇଟି ଲେଖାଏଁ ବିଶ୍ୱବିଦ୍ୟାଳୟ ନକଲୀ ବୋଲି ଜଣାପଡିଛନ୍ତି। ୟୁଜିସିଙ୍କ ଦ୍ୱାରା ନକଲୀ ଜଣାପଡିଥିବା ବିଶ୍ୱବିଦ୍ୟାଳୟଙ୍କ ତାଲିକାରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଗୋଟିଏ ଲେଖାଏଁ ୟୁନିଭର୍ସିଟି ଅଛନ୍ତି।

ଏହି ସବୁ ୟୁନିଭର୍ସିଟିରେ ମେଡିକାଲ, ଇଞ୍ଜିନିୟରିଂ, ଏଗ୍ରିକଲଚର ଓ ଭୋକେସନାଲ କୋର୍ସ ଦେଉଥିବା ୟୁନିଭର୍ସିଟିମାନେ ମଧ୍ୟ ଅଛନ୍ତି। ଏ ବାବଦେ ୟୁଜିସି ଜାରି କରିଥିବା ଅଧିକାରୀକ ଡକ୍ୟୁମେଣ୍ଟରେ କୁହାଯାଇଛି ଯେ ଛାତ୍ର ଓ ଅଭିଭାବକଙ୍କୁ ସୂଚନା ଦିଆଯାଉଛି ଯେ ବର୍ତ୍ତମାନ ୨୧ଟି ଅଣ ମାନ୍ୟତା ପ୍ରାପ୍ତ ଇନିଷ୍ଟିଚ୍ୟୁସନ ୟୁଜିସି ଆକ୍ଟର ଉଲ୍ଲଂଘନ କରୁଥିବାର ଧରାପଡିଛନ୍ତି। ଏଣୁ ଏହି ସବୁ ୟୁନିଭର୍ସିଟିକୁ ଫେକ୍ ୟୁନିଭର୍ସିଟି ଘୋଷଣା କରାଯାଉଛି। ଏପରି ୟୁନିଭର୍ସିଟିଙ୍କ ଡିଗ୍ରି ଦେବାର କୌଣସି ଶକ୍ତି ନାହିଁ ବୋଲି ୟୁଜିସି ସ୍ପଷ୍ଟ କରିଦେଇଛନ୍ତି।

Spread the love