July 12, 2025

ନଗଡ଼ାରେ ଆରମ୍ଭ ହେଲା ଟିକାକରଣ: ୨୫୦ ଟିକା ଦିଆଯିବାର ରହିଛି ଲକ୍ଷ

 

ଯାଜପୁର(ଅଭୟ ପତି): ଓଟିଭିର ମହାପ୍ରଭାଵ। ଆଜି ଯାଜପୁର ଜିଲ୍ଲା ନଗଡାରେ ଆରମ୍ଭ ହୋଇଛି କୋଭିଡ଼ ଟିକାକରଣ। କିଛିଦିନ ତଳେ ଆମେ ନଗଡାରେ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ସଚେତନତା ଏବଂ ମାସ୍କ, ଟୀକାକରଣ ଉପରେ ଗ୍ରାଉଣ୍ଡ ରିପୋର୍ଟ ପ୍ରକାଶ କରିଥିଲୁ। ଆଉ ଏହାପରେ ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭାଗୀୟ ଅଧିକାରୀମାନେ ଉପରନଗଡା, ମଝିନଗଡା ଓ ତଳନଗଡା ଆଦି ଅଞ୍ଚଳକୁ ଯାଇ କୋଭିଡ୍‌ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ଏବଂ ଆଜି ତଳନଗଡାରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ୨୫୦ ଟିକା ଦିଆଯିବାର ଲକ୍ଷ ରଖି ଟୀକାକରଣ ଆରମ୍ଭ  କରାଯାଇଥିଲା।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡାରେ କୋଭିଡର ସ୍ଥିତି କିଭଳି ଅଛି ? ତାହା ଜାଣିବା ପାଇଁ ଓଟିଭି ଟିମ୍ ଗତ ମେ ୨୩ରେ ପହଞ୍ଚିଥିଲା ନଗଡାରେ। ବର୍ଷା ଯୋଗୁଁ ଅନେକ ସ୍ଥାନରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଗୁଡ଼ିକ ଧୋଇ ଯାଇଥିଲା। ଅନେକ ବାଟ ଚାଲିବା ପରେ ନଗଡା, ମଝି ନଗଡା ଏବଂ ପରେ ପରେ ଏଗାର ହଜାର ଫୁଟ ଉଚ୍ଚରେ ଥିବା ତଳ ନଗଡାରେ ପହଞ୍ଚିଥିଲା ଟିମ୍‌। ସେଠାରେ ପହଞ୍ଚିବା ପରେ ଜଣାପଡ଼ିଲା କରୋନା ଏବଂ ଏହାର ଭୟାବହତା କଣ, ସେମାନେ ବିଲକୁଲ ଜାଣିନାହାନ୍ତି। କାହାରି ମୁହଁରେ ମାସ୍କ ନଥିଲା, ନା କେହି ସାମାଜିକ ଦୂରତ୍ୱ ନିୟମ ମାନୁଥିଲେ । ତେବେ ସଂକ୍ରମଣ ସମ୍ପର୍କରେ ପଚାରିବାରୁ ଅଦ୍ଭୁତ ଉତ୍ତର ମିଳିଲା। ଆମେ ପାହାଡ଼ି ଇଲାକାର ଜନଜାତି, ଆମର ଠାକୁର ଅଛନ୍ତି। ଆମର କିଛି ହବନାହିଁ। ଆମେ ମାସ୍କ ପିନ୍ଧିବୁନାହିଁ। କରୋନା ଆମ ପାଖକୁ ଆଦୌ ଆସିବନାହିଁ ବୋଲି ସେମାନେ ଉତ୍ତର ଦେଇଥିଲେ।
ଏହାପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ କିପରି ସ୍ୱାସ୍ଥ୍ୟସେବା ଯୋଗାଉଛି ବୋଲି କିଛି ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା। ଆଉ ସେମାନେ ଯାହା କହିଲେ ତାହା ଶୁଣି ପାଦତଳୁ ମାଟି ଖସିଯିବ । ସେମାନଙ୍କ ଅଭିଯୋଗ ଥିଲା ସ୍ୱାସ୍ଥ୍ୟ ବିଭାଗ ଏଠାକୁ ଆସୁଛନ୍ତି ହେଲେ କରୋନା ଭୟରେ ଗ୍ରାମ ଭିତରକୁ ପଶୁନାହାନ୍ତି। ରାସ୍ତା ଉପରେ ଛିଡ଼ାହୋଇ କରୋନା ବିଷୟରେ ଆଲୋଚନା କରି ଫେରିଯାଉଛନ୍ତି। ଆମେ ତୁଙ୍ଗା ବେଙ୍ଗା ଖାଇ ରହୁଛୁ, ସେଇଟା ଆମର ଦେଶୀ ମେଡିସିନ। ପାହାଡର ଖଣ୍ଡୁରାଇ ଠାକୁର ଅଛନ୍ତି, ଆମର କିଛି ହେବନାହିଁ। ଏକଥା ଖୋଦ ସେଠାକାର ନିର୍ବାଚିତ ପ୍ରତିନିଧି ତଥା ୱାର୍ଡମେମ୍ବର ଦେଶ ପ୍ରଧାନ ଏବଂ ରବି ପ୍ରଧାନ କହିଛନ୍ତି। ସରକାରଙ୍କ ସଚେତନତା କେବଳ କାନ୍ଥବାଡ଼ରେ ସୀମିତ ହୋଇ ରହିଯାଇଥିବା ଦେଖିବାକୁ ମିଳିଥିଲା।
Spread the love