September 16, 2024

Satya News

odia news channel

ନାରୀମାନଙ୍କୁ ବିକାଶର ମାର୍ଗ ଦେଖାଇଛି ମିଶନ ଶକ୍ତି – ମନ୍ତ୍ରୀ ପ୍ରତାପ ଜେନା

 

କୁଆଁପାଳ: ରାଜ୍ୟର ସମସ୍ତ ମହିଳାମାନଙ୍କର ବିକାଶ ଓ ନାରୀ ଶକ୍ତିର ସଶକ୍ତିକରଣ ଦିଗରେ ମିଶନ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ମହିଳାମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସହ ସେମାନକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ମିଶନ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମାହାଙ୍ଗାରେ ୩୫ ହଜାର ଓ ରାଜ୍ୟରେ ୭୦ ଲକ୍ଷରୁ ଉର୍ଦ୍ଧ୍ବ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ଏବେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ସେ କହିଛନ୍ତି। ଆଜି ମାହାଙ୍ଗା ବ୍ଲକ ଗୋକନ ଭଞ୍ଜମଣ୍ଡପ ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏସଏଚଜି ମହିଳା ସମୀକ୍ଷା ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଏହି ସଭାରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସଭାପତିତ୍ୱରେ ସମ୍ମାନିତ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ଅତିଥି ଭାବେ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ, ଜିଲ୍ଲା ପରିଷଦ ସଭ୍ୟା ହାରପ୍ରିୟା ପାଣି, ସରପଞ୍ଚ ଗଗନ ସେଠି, ଧୀରେନ୍ଦ୍ର ବିଶ୍ୱାଳ, ସସ୍ମିତା ସିଂହ, ଭାରପ୍ରାପ୍ତ ସରପଞ୍ଚ ଶକୁନ୍ତଳା ନାୟକ, ସମିତି ସଭ୍ୟା ଲଷ୍ମୀପ୍ରିୟା ବେହେରା, ପଂଚାୟତ ମହିଳା ମହାସଂଘ ସଭାପତି ସୁସ୍ମିତା ଦାସ, ସମ୍ପାଦିକା ସସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ ମହିଳାମାନେ କିପରି ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିରେ ଭଉଁରିଆ, ପଲ୍ଲୀସାହି, ଓସଙ୍ଗ, ଗୋକନ, ବରାହିପୁର, ପୋଡାମରାଇ ପଂଚାୟତର ଏସଏଚଜି ମହିଳା, ଅଙ୍ଗନବାଡି କର୍ମୀ ସହାୟିକାମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଏସଏଚଜି ମହିଳା ଗୋଷ୍ଠୀଙ୍କୁ ଋଣ ଅର୍ଥ ଚେକ ଓ କିଛି ରାସନ କାର୍ଡ ହିତାଧିକାରିଣୀମାନକୁ ଏକ ହଜାର ଟଙ୍କା ସହାୟତା ରାଶି ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ।

Spread the love