October 18, 2024

Satya News

odia news channel

ନିଶାସକ୍ତ ଆମ୍ବୁଲାନ୍ସ ଚାଳକଙ୍କ ବେପରୁଆ ଗାଡି ଚାଳନା : ଅଟୋକୁ ଦେଲେ ଧକ୍କା, ୧୪ ଗୁରୁତର

 

ଚାନ୍ଦବାଲି ୯।୮: ଜଣେ ନିଶାସକ୍ତ ଆମ୍ବୁଲାନ୍ସ ଚାଳକଙ୍କ ଉନ୍ମକ୍ତକାଣ୍ଡ । ଭଦ୍ରକ ଜିଲ୍ଲା ତିହିଡି ଥାନା  ବଡଗାଲୋ ଛକରେ ଘଟିଛି ଅଘଟଣ । ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଶବକୁ ସାହାପୁରକୁ ବୋହି ନେଇ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା ।  ଘଟଣା ସ୍ଥଳରେ ଉଭୟ ଗାଡିରେ ଥିବା ୧୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।  ଆମ୍ବୁଲାନ୍ସ ଚାଳକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥାଇ ଗାଡି ଚାଳନା କରୁଥିବା କୁହାଯାଉଛି । ସ୍ଥାନୀୟ ଲୋକେ ଦୌଡି ଯାଇ ସେଥିରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଇତିମଧ୍ୟରେ ଚାଳକ ଜଣଙ୍କ କୌଶଳକ୍ରମେ ଗାଡିରୁ ଖସି ପଳାଇ ଯାଇଥିଲା ।

ଅନ୍ୟପଟେ ଅଟୋ ସମ୍ପୂର୍ଣ୍ଣଭାବେ ଚୁର୍‌ମାର୍ ହୋଇଯାଇଛି । ସେଥିରେ ଥିବା ୬ ମାସର ଶିଶୁ ସମେତ ମହିଳା, ଯୁବତୀ ଓ ପୁରୁଷ ମୋଟ୍ ୯ ଜଣ ଗୁରୁତର ହୋଇଥିଲେ । ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲ ପଠାଯାଇଥିବା ଜଣାଯାଇଛି। ଏହି ଘଟଣାର ମୁଖ୍ୟ କାର୍ପଟଦାର ଆମ୍ବୁଲାନ୍ସ ଚାଳକକୁ ପୋଲିସ ଖୋଜୁଥିବା ଜଣାଯାଇଛି ।

Spread the love