
ଭୁବନେଶ୍ବର : ୫ ବର୍ଷରେ ୧୦ କୋଟି ଖର୍ଚ୍ଚ କରି ଯେଉଁ ଫଳାଫଳ ମିଳିଥାଆନ୍ତା; ୬୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା ରାଜ୍ୟ କୃଷି ବିଭାଗ। ୨୦୨୨ରୁ ଆରମ୍ଭ ହେବାକୁ ଯାଉଥିବା ପଣସ ମିସନ୍ ନେଇ ବିଶେଷଜ୍ଞମାନେ କରୁଛନ୍ତି ଏହି ପ୍ରଶ୍ନ। ପଣସ ଯୋଜନା କରି ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଯେଉଁ କାର୍ଯ୍ୟ ହୋଇଥାଆନ୍ତା; ବର୍ତ୍ତମାନ ମିସନ ନାମରେ କୋଠା, ସ୍ବତନ୍ତ୍ର ଆଡ୍ମିନିଷ୍ଟ୍ରେସନ, ପରିଚାଳନା, କମ୍ପୁଟର, ଓ୍ବେବ୍ ପୋର୍ଟାଲ କରାଯାଇ କାହିଁକି ଟଙ୍କା ବରବାଦ କରାଯାଉଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁଦାନପ୍ରାପ୍ତ ବଡ଼ ସାମାଜିକ ସଙ୍ଗଠନର ଚାପରେ ଆସି ସେମାନଙ୍କ ଲାଭ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହେଉଛି।
ବର୍ତ୍ତମାନ ରାୟଗଡ଼ା, କୋରାପୁଟ, କନ୍ଧମାଳରେ ଓରମାସ୍ ପକ୍ଷରୁ ଛୋଟ ପ୍ରୋସେସିଂ ୟୁନିଟ କରାଯାଇଛି। ପଣସ ଉତ୍ପାଦନକୁ ଲାଭପ୍ରଦ କରିବା ପାଇଁ ରାଜ୍ୟ ସରକାର ଅନେକ ଦିନରୁ ଚିନ୍ତା କରୁଥିଲେ। ଏଥିପାଇଁ ପ୍ରଥମେ ବନ ବିଭାଗ, ଏମ୍ଏସ୍ଏମ୍ଇ ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ଅଭିଯାନ ଭାବରେ ପଣସ ଯୋଜନା ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏପରିକି ବନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛି। ଏମ୍ଏସ୍ଏମ୍ଇ ଏହି ଦିଗରେ ପଦକ୍ଷେପ ଗ୍ରହଣ କଲା ନାହିଁ। ଉଦ୍ୟାନ ବିଭାଗ ଏହାକୁ ମିସନ କରିବାରେ ଲାଗିଛନ୍ତି। ଏଥିପାଇଁ ଅନୁଦାନପ୍ରାପ୍ତ ବଡ଼ ଏନ୍ଜିଓର ଲବି କାମ କରୁଥିବା କୁହାଯାଉଛି। କାରଣ ଯୋଜନା କରାଯାଇଥିଲେ ସରକାରୀ ବିଭାଗ ଏଥିରେ କାର୍ଯ୍ୟ କରିଥାଆନ୍ତେ। ମିସନରେ ସରକାରୀ ଅନୁଦାନ ନେଇ ସାମାଜିକ ସଙ୍ଗଠନଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପରାମର୍ଶ ପରିଷଦରେ ରହିବେ ତଥା ସରକାର ଏବଂ ଚାଷୀଙ୍କ ମଧ୍ୟରେ ଲିଙ୍କେଜ୍ ନାମରେ ମଧ୍ୟସ୍ଥିର ଭୂମିକା ଗ୍ରହଣ କରିବେ। ବର୍ତ୍ତମାନ ରାଜ୍ୟ ସରକାର ୨୦୨୨ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ପଣସ ମିସନ ଘୋଷଣା କରି ପଣସ ଚାଷକୁ ୧୦ ହଜାର ହେକ୍ଟର ବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥି ଜରିଆରେ ୩୦ ହଜାର ଲୋକଙ୍କ ନିଯୁକ୍ତି ଦିଆଯିବ ବୋଲି ଲକ୍ଷ୍ୟ ରଖିଛନ୍ତି। ଉତ୍ପାଦନସ୍ଥଳରୁ ଶୀତଳ ଭଣ୍ଡାର ଏବଂ ଶୀତଳ ଭଣ୍ଡାରରୁ ବଜାର ପାଇଁ ୨୬ଟି କୋଲ୍ଡ ଚେନ୍ ଏବଂ ୧୦ ହଜାର ଚାଷୀଙ୍କୁ ଉଦ୍ୟୋଗୀ କରାଯାଇ ଓଡ଼ିଶାର ପଣସ ବ୍ରାଣ୍ଡ କରାଯିବ। ଓରମାସ୍ ଏବଂ ମିସନ ଶକ୍ତି ସହଯୋଗରେ ଏହାର ମାର୍କେଟିଂ ହେବ। ଏପରିକି ପଣସ ମେଳା ସହିତ ସ୍ବତନ୍ତ୍ର ଗବେଷଣା କେନ୍ଦ୍ର ହେବ। ପଣସ ଉତ୍ପାଦନ ପାଇଁ ଆବଶ୍ୟକ ଚାରା ବାହାର ରାଜ୍ୟରୁ ଆମଦାନି କରାଯିବ। ଏଥିପାଇଁ ୬୬ କୋଟିରୁ ଉର୍ଧ୍ବ ଖର୍ଚ ହେବ।
ପଣସ ମିସନର ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ପଢିବା ବେଳକୁ ଆଖି ଝଲସି ଯାଉଛି। ବାସ୍ତବତା କିନ୍ତୁ ଭିନ୍ନ। ପ୍ରଥମତଃ ମିସନ ଜରିଆରେ ସରକାର ବାହାରୁ ଚାରା ଆଣିବାର ଲକ୍ଷ୍ୟ ରଖିଛନ୍ତି। କିଛି ସମୟ ଅପେକ୍ଷା କରାଯାଇଥିଲେ ଓଡ଼ିଶାରେ ଏହାର ଉତ୍ପାଦନ କରାଯାଇ ପାରନ୍ତା। ଦ୍ବିତୀୟତଃ ମିସନ ନାମରେ ୪୫୦ ଲକ୍ଷ ଟଙ୍କାର କାର୍ଯ୍ୟାଳୟ ଖର୍ଚ, ୧୦.୭ ଲକ୍ଷର ପ୍ରବନ୍ଧନ ଖର୍ଚ ଏବଂ ୨୫ ଲକ୍ଷ ଟଙ୍କାରେ ଓ୍ବେବ ପୋର୍ଟାଲ ନାମରେ ଅତିରିକ୍ତ ଖର୍ଚ କରାଯାଉଛି। ଯାହାର ଆବଶ୍ୟକତା ନଥିବା କୁହାଯାଉଛି। ଯେଉଁଭଳି ପଣସ ଉତ୍ପାଦନ କଥା କୁହାଯାଉଛି, ଏହି ମିସନ ଅନ୍ତର୍ଗତରେ ଚାଷୀର ପଣସ ଉତ୍ପାଦନ ଖର୍ଚ ୫୦ ଟଙ୍କାରେ ପହଞ୍ଚିଯିବ। ଯେଉଁ ପଣସ ବଜାରରେ ୨୦ରୁ ୩୦ ଟଙ୍କାରେ ମିଳୁଥିବ, ମିସନ ପଣସ ନାମରେ ଗ୍ରାହକ ଏହାକୁ ଅଧିକ ଟଙ୍କାରେ କିଣିବେ ନାହିଁ ବୋଲି କୁହାଯାଉଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ, ମିସନ ବଦଳରେ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇ ପଣସ ଯୋଜନା ପ୍ରସ୍ତୁତ କରାଯାଇଥିଲେ ସେହି ଲାଭ ମିଳନ୍ତା। ପ୍ରଥମତଃ ଏମଏସଏମଇ ପକ୍ଷରୁ ପଣସର ପ୍ରୋସେସିଂ ୟୁନିଟ ସ୍ଥାପନ ହେବ। ଏହା ଜରିଆରେ ବର୍ତ୍ତମାନ ଉତ୍ପାଦିତ ପଣସକୁ ବ୍ୟବହାର କରାଯିବ। ଏହାପରେ ପ୍ୟାକିଂ ସହିତ ବିକ୍ରି କରାଯିବ, ଚିପ୍ସ କିମ୍ବା ଅନ୍ୟାନ୍ୟ ପ୍ରକାର ଜଳଖିଆ ପ୍ରସ୍ତୁତ କରି ରପ୍ତାନି ହେବ। ଉଦ୍ୟାନ ବିଭାଗ ପକ୍ଷରୁ ନିଜେ ଚାରା ରୋପଣ କରି ୧୦ ହଜାର ହେକ୍ଟର ଚାଷର ଅତିରିକ୍ତ ଲକ୍ଷ୍ୟ ରଖାଯାଇ ଚାଷ କରାଯାଇ ପାରିବ। ଯେଉଁଥିରେ ବେଶି ଖର୍ଚ ହେବ ନାହିଁ। ମିସନ ଭଳି ଏହି ଯୋଜନା ଅନ୍ତର୍ଗତରେ ମଧ୍ୟ ପଣସକୁ ଉତ୍ପାଦନସ୍ଥଳରୁ ଶୀତଳ ଭଣ୍ଡାର ଏବଂ ଶୀତଳ ଭଣ୍ଡାରରୁ ବଜାର ପାଇଁ ୨୬ଟି କୋଲ୍ଡ ଚେନ୍ ପ୍ରସ୍ତୁତ କରାଯାଇ ପାରିବ। କୋଭିଡ୍ ସମୟରେ ଅଯଥା ଖର୍ଚ ବନ୍ଦ କରାଯାଉଥିବା ବେଳେ ସରକାର କାହିଁକି ଏହି ଦିଗରେ ପଦକ୍ଷେପ ନେବାକୁ ଯାଉଛନ୍ତି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍