October 23, 2024

Satya News

odia news channel

ପର୍ଯ୍ୟଟନ ଋତୁରେ ନୂଆ ଭେଟି : ଚିଲିକା, ଭିତରକନିକାରେ ‘ହାଉସ ବୋଟ୍‌’

 

ଭୁବନେଶ୍ବର : ସଜାଡ଼ି ହେଉଛି ଓଡ଼ିଶା ପର୍ଯ୍ୟଟନ । ବାତ୍ୟା ଫଣି ଓ କରୋନା ମହାମାରୀରେ ଭୁଶୁଡ଼ି ପଡ଼ିଥିବାରୁ ପୁଣି ଥରେ ଏହି ଶିଳ୍ପକୁ ସୁଦୃଢ଼ କରିବାକୁ ଯୋଜନା ହେଉଛି। ପର୍ଯ୍ୟଟନ ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଧୀରେଧୀରେ ପର୍ଯ୍ୟଟନସ୍ଥଳୀ ସବୁ ଖୋଲିବାରେ ଲାଗିଛି। ଦୀର୍ଘ ୩ବର୍ଷ ପରେ ବିଭାଗ ପର୍ଯ୍ୟଟକଙ୍କ ସଂଖ୍ୟା ଯେପରି ବୃଦ୍ଧି ହେବ ସେହି ଲକ୍ଷ୍ୟରେ ନୂତନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛି। ରାଜ୍ୟ ସରକାର, ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଏଥର ନୂଆ ସମ୍ଭାବନା ଦେଖିବାକୁ ମିଳିବ।
ଡଙ୍ଗାରେ ମିଳିବ ଘର ସୁବିଧା
ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ନିଆରା ଉପହାର ‘ହାଉସ ବୋଟ୍‌ ବ୍ୟବସ୍ଥା।’ ପୁରୁଣା ଡଙ୍ଗାକୁ ନେଇ ପର୍ଯ୍ୟଟକଙ୍କ ପାଇଁ ନିଆରା ଘର ତିଆରି ହେବ। ପର୍ଯ୍ୟଟକମାନେ ଘର ଭଳି ସୁବିଧା ଡଙ୍ଗାରେ ପାଇପାରିବେ। ପାଣି ଭିତରେ ଡଙ୍ଗାରେ ବସି ଭ୍ରମଣ ସହିତ ଖାଦ୍ୟପେୟର ମଜା ନେଇପାରିବେ। ପ୍ରଥମ ପର୍ଯ୍ୟାୟରେ ଚିଲିକା ଓ ଭିତରକନିକାରେ ଡଙ୍ଗାରେ ଏହି ସୁବିଧା କରାଯିବା ନିଷ୍ପତ୍ତି ହୋଇଛି। ୪ କିମ୍ବା ୫ଟି ଡଙ୍ଗାକୁ ଏକାଠି କରାଯିବ। ଏଥିରେ ପର୍ଯ୍ୟଟକଙ୍କ ପାଇଁ ୪ଟି ଘର ତିଆରି କରାଯିବ। ଯେଉଁଥିରେ ପର୍ଯ୍ୟଟକମାନେ ରହିବା ଓ ଖାଇବାର ସୁବିଧା ପାଇ ପାରିବେ।
ହୋଟେଲ ଅନ୍ ହୁଇଲ ବ୍ୟବସ୍ଥା
ହୋଟେଲ ଅନ୍ ହୁଇଲ ତଥା କାରାଭାନା ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି। ସାଧାରଣ ହୋଟେଲ, ରିସୋର୍ଟଠାରୁ ଏହା ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବ। ଏଠାରେ ସେମାନେ ବିଳାସପୂର୍ଣ୍ଣ ରାତ୍ରି ବିତାଇ ପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୫ଟି ବସ୍ ଆସିବ। ଏହି ବସ୍‌ରେ ପର୍ଯ୍ୟଟକମାନେ ଆରାମଦାୟକ ଘର, ଗାଧୁଆ ଘର, ଶୌଚାଳୟଠାରୁ ଆରମ୍ଭ କରି ରୋଷେଇ, ଶୋଇବା ଘର ଆଦି ସମସ୍ତ ବ୍ୟବସ୍ଥା ରହିବ। ପର୍ଯ୍ୟଟକମାନେ ବସ୍‌ରେ ଯେକୌଣସି ଜାଗାକୁ ବୁଲିବାକୁ ଯାଇପାରିବେ। ଶୀତତାପ ନିୟନ୍ତ୍ରିତ ବସ୍ ରହଣିକୁ ନେଇ ସୁବିଧା‌ ପର୍ଯ୍ୟଟକଙ୍କୁ ମିଳିପାରିବ। ହୋଟେଲ ଅନ୍ ହୁଇଲ ସୁବିଧା ଭିତରକନିକା, ଶିମିଳିପାଳ, ସାତକୋଶିଆ, କୋରାପୁଟ, ଦାରିଙ୍ଗବାଡ଼ି ଭଳି ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ମିଳିପାରିବ। ଏଥିପାଇଁ ବିଭିନ୍ନ ଜାଗାରେ କାରାଭାନ ପାର୍କର ସୁବିଧା ମିଳିବ।
କ୍ରୁଜ୍‌ର ମଜା ନେବେ ପର୍ଯ୍ୟଟକ
ମହାନଦୀରେ ଚାଲିବ କ୍ରୁଜ୍‌। ପର୍ଯ୍ୟଟକମାନେ ଗୋଆ ଓ କଲକାତା ଭଳି ନଦୀ ଭିତରେ କ୍ରୁଜ୍‌ରେ ବୁଲିବାର ସୁଯୋଗ ପାଇପାରିବେ। ବିଭାଗ ପର୍ଯ୍ୟଟକଙ୍କ ପାଇଁ ବାହାର ରାଜ୍ୟ ଭଳି ସୁବିଧା‌ ଆଣିଛି। ସେମାନେ ଜାହାଜ ଭିତରେ ବୁଲିବା ସହିତ ଭୋଜନ କରିବାର ସମସ୍ତ ବ୍ୟବସ୍ଥା କରାଯିବ। ଡିସେମ୍ବର ସୁଦ୍ଧା କ୍ରୁଜ୍‌ର ରୂପରେଖ ଚୂଡ଼ାନ୍ତ ହେବା ପରେ କାର୍ଯ୍ୟ ଆରମ୍ଭ କରାଯିବ। ଖାଲି ମହାନଦୀ ନୁହେଁ ବରଂ ଅନ୍ୟ କିଛି ପର୍ଯ୍ୟଟନସ୍ଥଳୀରେ ଥିବା ନଦୀ ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ଏଭଳି ସୁବିଧା କରାଯିବ।
ପର୍ଯ୍ୟଟନ ନିର୍ଦେଶକ ସଚିନ ଆର୍‌. ଯାଦବ କହିଛନ୍ତି ଯେ, କରୋନା ମହାମାରୀ ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ପର୍ଯ୍ୟଟକମାନେ ବାହାର ରାଜ୍ୟ ଭଳି ସୁବିଧା ନିଜ ରାଜ୍ୟରେ ପାଇପାରିବେ। ସମସ୍ତ ବ୍ୟବସାୟୀ ଯେପରି ରୋଜଗାରକ୍ଷମ ହୋଇପାରିବେ ତାକୁ ନଜରରେ ରଖାଯାଇଛି।

Spread the love