September 8, 2024

Satya News

odia news channel

ପାଚିଲା ଧାନ ଅମଳ ବେଳକୁ ଦାଉ ସାଜିଲା ଅଦିନିଆ ବର୍ଷା, ମାଟିରେ ଲୋଟୁଛି ସୁନାର ଫସଲ

 

ଆରଡି: ଆଉ ଦିନ କେଇଟାରେ ଚାଷୀ ତାର ବର୍ଷକର ଅମଳ ପାଚିଲା ଧାନ କ୍ଷେତରୁ କାଟି ଘରକୁ ଆଣିଥାନ୍ତା। ହେଲେ କ୍ଷେତରେ ପାଚିଲା ଧାନ ଅମଳ ବେଳକୁ ଦାଉ ସାଜିଲା ଅଦିନିଆ ବର୍ଷା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର, ତେନ୍ତୁଲିଡିହ ଆଦି ପଞ୍ଚାୟତରେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରିଥାନ୍ତି। ହେଲେ ଗତ ୨ଦିନ ହେବ ଲଘୁଚାପ ପ୍ରଭାବରେ ଅଦିନିଆ ଲଗାଣ ବର୍ଷା ଯୋଗୁ ସୁନାର ଫସଲ ଏବେ ମାଟିରେ ଲୋଟୁଛି।

ଆଗକୁ ଯଦି ବର୍ଷା ଲାଗି ରୁହେ ତାହାଲେ ଅମଳ ହେବାକୁ ଥିବା ପାଚିଲା ଧାନ ଉଜୁଡିଯିବ ବୋଲି ଚାଷୀ ଜଗନ୍ନାଥ ମହାକୁଡ, କେଦାରନାଥ ବାରିକ, ରତ୍ନାକର ମଲିକ, ସୁରେନ୍ଦ୍ର ବାରିକ ପ୍ରମୁଖ କହିଛନ୍ତି। ଅନ୍ୟପଟେ ଆଗକୁ ପୂର୍ଣିମା ଥିବାରୁ ନିକଟତମ ଧାମରା ସମୁଦ୍ର ମୁହାଣରୁ ଆସୁଥିବା ଜୁଆରପାଣି ବୈତରଣୀ ଓ ସାଳନ୍ଦୀ ନଦୀର ବିଭିନ୍ନ ମାହାରା ଦେଇ ତଳିଆ ଅଞ୍ଚଳରେ ଥିବା କ୍ଷେତରେ ମାଡିଯିବାରୁ ପାଚିଲା ଧାନରେ ଆଣ୍ଠୁଏ ଉଚ୍ଚରୁ ପାଣି ଲହଡି ଭାଙ୍ଗୁଛି। ଗୋଟିଏ ପଟେ ଅଦିନିଆ ବର୍ଷା , ଆଉ ଗୋଟିଏ ପଟେ ସମୁଦ୍ର ଜୁଆର ପାଣି ଯାହାକି ଚାଷୀଙ୍କ ଦୁଃଖକୁ ଦୁଇଗୁଣିତ କରିଛି।

Spread the love