September 20, 2024

Satya News

odia news channel

ପାଞ୍ଚ ଦିନ ଦ୍ଵାରସ୍ଥ ହେଲେ, ତଥାପି ଥାନାରେ ମିଳୁନି ବିଧବା ମହିଳାଙ୍କୁ ନ୍ୟାୟ

 

ତେଲକୋଇ ୧୯।୦୯:  ଥାନାରେ ବିଧବା ମହିଳାଙ୍କୁ ମିଳୁନାହିଁ ନ୍ୟାୟ । ପାଞ୍ଚ ଦିନ ହେବ ଜଣେ ବିଧବା ମହିଳା  ଥାନାର ଦ୍ଵାରସ୍ଥ ହୋଇ ଧାରଣାରେ ବସିଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାରେ । ୬ ମାସ ପୂର୍ବରୁ ସ୍ଵାମୀଙ୍କ ମୃତ୍ୟୁ ପରେ ଶାଶୁ ଶ୍ଵଶୁର ଓ ଦିଅରଙ୍କ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଆସୁଥିଲେ ସଂପୃକ୍ତ ବିଧବା ମହିଳା ଶୁଭସ୍ମିତା ସାହୁ ।

ସ୍ଵାମୀଙ୍କ ମୃତ୍ୟୁ ପରେ ପ୍ରଥମ ଥର ମୁହଁ ଦେଖା ପାଇଁ ବାପ ଘରକୁ ଯାଇଥିଲେ ଶୁଭସ୍ମିତା । ତେବେ ଗତ ୧୫ ତାରିଖରେ ସେ ଶୁଶୁର ଘର ତେଲକୋଇକୁ ଫେରିଥିଲେ । ଶ୍ଵଶୁର ଗିରିଧାରୀ ସାହୁ ଓ ଶାଶୁ ମିଶି ତାଙ୍କୁ ଓ ତାଙ୍କ ୪ ବର୍ଷର ଶିଶୁକନ୍ୟାଙ୍କୁ ଘରେ ପୁରେଇ ନଦେବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ । ଏନେଇ ଶୁଭସ୍ମିତା ତେଲକୋଇ ଥାନାରେ ଅଭିଯୋଗ କରଥିଲେ । ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ପର ଘରେ ଆଶ୍ରୟ ନେଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନ୍ୟାୟ ପାଇଁ ଥାନାରେ ଧାରଣାରେ ବସିଛନ୍ତି ବିଧବା ମହିଳା ଶୁଭସ୍ମିତା। ଏ ସମ୍ପର୍କରେ ତେଲକୋଇ ଥାନା ଅଧିକାରୀ କ୍ୟାମେରା ସାମନାରେ ମୁହଁ ଖୋଲି ବାକୁ ନାରାଜ ।

Spread the love