July 1, 2025

ପିଏମ୍ ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ଶଶୀ ଥରୁର: ‘ଚମତ୍କାର କାମ କରିଛନ୍ତି’

 

କଂଗ୍ରେସ ନେତା ଶଶୀ ଥରୁର ପୁଣିଥରେ ମୋଦି ସରକାରଙ୍କ ପ୍ରଶଂସା କରିଛନ୍ତି। କୋ-ୱିନ୍ ଆପକୁ ନେଇ ସେ ସରକାରଙ୍କ ପ୍ରଶଂସା କରି କହିଛନ୍ତି ଏହା ଅତ୍ୟନ୍ତ ଚମତ୍କାର। ହ୍ୱାଟ୍ସଆପ ଜରିଆରେ କୋ-ୱିନ୍ ଆପରୁ ଭ୍ୟାକସିନେସନ ସାର୍ଟିଫିକେଟ ଡାଉନଲୋଡ଼ ସୁବିଧାକୁ ନେଇ ଶଶୀ ଥରୁର ସରକାରଙ୍କ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ଶାସନରେ ଥିବା ସରକାର ଓ ବିରୋଧୀ ନେତା ପରସ୍ପରର ଭଲ କାମକୁ ନେଇ ପ୍ରଶଂସା କରିବା ବହୁତ କମ ଦେଖିବାକୁ ମିଳେ।

ଦେଶର ଟୀକାକରଣ ଅଭିଯାନରେ Co-WIN ପ୍ଲାଟଫର୍ମର ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ। ଟୀକାକରଣ ପାଇଁ ରେଜିଷ୍ଟ୍ରେସନ, ସ୍ଲଟ ବୁକିଂରୁ ଆରମ୍ଭ କରି ସାର୍ଟିଫିକେଟ ଡାଉନଲୋଡ଼ କରିବା ଯାଏଁ ସବୁ କାମ ଏହି ଆପ ଜରିଆରେ ସହଜରେ କରାଯାଇପାରୁଛି। ବର୍ତ୍ତମାନ ହ୍ୱାଟ୍ସଆପରେ ମେସେଜ କରି ମଧ୍ୟ ସାର୍ଟିଫିକେଟ ଡାଉନଲୋଡ଼ କରାଯାଇପାରୁଛି। କଂଗ୍ରେସ ସାଂସଦଙ୍କୁ ଏହି ଉପାୟ ବହୁତ ପସନ୍ଦ ଆସିଛି ସେଥିପାଇଁ ସେ ପ୍ରଶଂସା କରିଛନ୍ତି।

ଶଶୀ ଥରୁର ଟ୍ୱିଟ କରିଛନ୍ତି,”ମୁଁ ସବୁବେଳେ ସରକାରଙ୍କ ଭଲ କାମକୁ ସ୍ୱୀକାର କରିଛି ଏବଂ ପ୍ରଶଂସା ମଧ୍ୟ କରିଛି। CO-WIN ର ଆଲୋଚକ ଭାବେ ମୁଁ କହୁଛି ଯେ ସରକାର ବହୁତ ଭଲ କାମ କରିଛନ୍ତି। 9013151515 ହ୍ୱାଟ୍ସଆପ ନମ୍ବରରେ ‘download certificate’ ମେସେଜ ପଠାନ୍ତୁ, ଓଟିପି ମିଳିବ ଓ ଓଟିପି ଦେବାପରେ ଟୀକାକରଣ ସାର୍ଟିଫିକେଟ ପାଇପାରିବେ। ବହୁତ ସରଳ।”

କଂଗ୍ରେସ ନେତା ଶଶୀ ଥରୁର ମୋଦି ସରକାରଙ୍କ ନୀତିକୁ ନେଇ ସବୁବେଳେ ସମାଲୋଚନା କରିଥାନ୍ତି। କିନ୍ତୁ ୨୦୧୯ ଅଗଷ୍ଟରେ ସେ କହିଥିଲେ ଯେ ଯଦି ପ୍ରଧାନମନ୍ତ୍ରୀ ମୋଦି ଭଲ କାମ କରନ୍ତି ତାହେଲେ ତାଙ୍କର ପ୍ରଶଂସା ମଧ୍ୟ କରିବା ଉଚିତ। ଏହାଦ୍ୱାରା ଯେତେବେଳେ ମୋଦି ଭୁଲ କାମ କରନ୍ତି ତାଙ୍କର ସମାଲୋଚନା କରିବାକୁ ବିଶ୍ୱସନୀୟତା ମିଳିବ। ବିରୋଧୀ ଦଳର ଅନ୍ୟ ନେତାମାନେ ମଧ୍ୟ ଏହାକୁ ମାନନ୍ତି ତାହା ସ୍ୱାଗତଯୋଗ୍ୟ।

କଂଗ୍ରେସର ଆଉ ଦୁଇ ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ଓ ଜୟରାମ ରମେଶ କହିଥିଲେ ଯେ ମୋଦିଙ୍କୁ ଖଳନାୟକ ଭାବେ ଉପସ୍ଥାପନା କରିବା ଭୁଲ।

Spread the love