
କଟକ: ପୌର ନିର୍ବାଚନ ଶେଷ ହୋଇଥିବା ବେଳେ କଟକ ସହରବାସୀଙ୍କୁ ପାଣି ମିଟର ବ୍ୟବସ୍ଥା ଉପହାର ଆକାରରେ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି। ସହରର ଘରଗୁଡିକୁ ଦିଆଯାଇଥିବା ପାଇପ ପାଣି ସଂଯୋଗ ଗୁଡିକ ପାଇଁ ମିଟର ବସାଯିବ ବୋଲି ଜଣାପଡିଛି। ଏଣିକି ଲୋକେ ମିଟରରେ ଉଠିଥିବା ପାଣି ପରିମାଣ ଆଧାରରେ ଦେୟ ଦେବେ। ଏବେ ମାର୍ଚ୍ଚ ମାସରେ ବହୁ ଗ୍ରାହକ ପାଇପ୍ ପାଣି ସଂଯୋଗ ଦେୟ ଅଗ୍ରୀମ ଆକାରରେ ଦେବାକୁ ଯାଇ ଓଡ଼ିଶା ଜଳ ନିଗମ କାର୍ଯ୍ୟାଳୟରୁ ଫେରୁଛନ୍ତି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅଗ୍ରୀମ ଦେୟ ପଇଠ ବ୍ୟବସ୍ଥା ଆଉ ନାହିଁ। ପୂର୍ବରୁ ବର୍ଷକର ଅଗ୍ରୀମ ଦେୟ ଦେଇ ଗ୍ରାହକ ୨ ପ୍ରତିଶତ ଛାଡ ପାଉଥିଲେ। ଏଭଳି ବ୍ୟବସ୍ଥା ମୂଳରୁ ରହି ଆସିଥିବା ବେଳେ ପ୍ରାୟତଃ ମାର୍ଚ୍ଚ/ଏପ୍ରିଲ ମାସରେ ଲୋକମାନେ ହୋଲ୍ଡିଂ ଟିକସ ସହିତ ପାଇପ୍ ପାଣି ସଂଯୋଗର ବାର୍ଷିକ ଅଗ୍ରୀମ ଦେୟ ପଇଠ କରୁଥିଲେ। ଏବେ ପାଣି ପାଇପ୍ ସଂଯୋଗ ବାବଦ ଅଗ୍ରୀମ ଦେୟ ଆଉ କାର୍ଯ୍ୟାଳୟରେ ଗ୍ରାହକଙ୍କ ନିକଟରୁ ଗ୍ରହଣ କରାଯାଉ ନାହିଁଁ।
କର୍ମଚାରୀ କହୁଛନ୍ତି ଯେ ଆଗକୁ ପାଣି ପାଇପରେ ମିଟର ବସିବ। ମିଟରରେ ଯେତିକି ଉଠିବ ସେହି ଅନୁସାରେ ଗ୍ରାହକ ଦେୟ ପଇଠ କରିବେ। ବିଭିନ୍ନ ୱାର୍ଡ ପାଇଁ ଏଥି ଲାଗି ଜଳସାଥୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଦ୍ୟୁତ ମିଟର ଭଳି ପାଣି ପାଇପ୍ ମିଟର ବସିଲେ ବ୍ୟବହାରର ପରିମାଣ ଆଧାରରେ ଗ୍ରାହକଙ୍କ ନିକଟରୁ ଦେୟ ଆଦାୟ କରାଯିବ। ପାଣି ପାଇପ୍ ମିଟର ବସିବ ବୋଲି କିଛି ବର୍ଷ ହେଲା ଚର୍ଚ୍ଚା ଜୋର ଧରିଥିବା ବେଳେ ପୌର ନିର୍ବାଚନ ପାଇଁ ବୋଧେ ଅପେକ୍ଷା କରାଯାଇଥିଲା। ପୌର ନିର୍ବାଚନ ଶେଷ ହୋଇଥିବା ବେଳେ କଟକ ସହରବାସୀଙ୍କୁ ପାଣି ମିଟର ଉପହାର ମିଳିବ ବୋଲି ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷ ହେବ ପ୍ରତି ବର୍ଷ ପାଣି ସଂଯୋଗ ଦେୟ ସରକାର ବୃଦ୍ଧି କରୁଥିଲେ। ଏବେ ମିଟର ବସାଇବା ପାଇଁ ଯୋଜନା। ମିଟର ବସିଲେ ଗ୍ରାହକଙ୍କୁ କେତେ ପ୍ରତିମାସରେ ପାଣି ପାଇଁ ଦେୟ ଦେବାକୁ ପଡିବ ତାକୁ ନେଇ ବହୁ ସାଧାରଣ ଲୋକ ଆଶଙ୍କା ଭିତରେ ରହିଛନ୍ତି। ଏଥି ସହିତ ଏହି ମିଟର ଜଳ ନିଗମ ଦେବା ନାଁ ଗ୍ରାହକଙ୍କ ଅର୍ଥରେ ବସାଯିବ ତାକୁ ନେଇ ମଧ୍ୟ ସ୍ଥିତି ଅସ୍ପଷ୍ଟ। ବିଭିନ୍ନ ସମୟରେ ଯଦି ପାଇପ୍ ସଂଯୋଗରେ ସମସ୍ୟା ଦେଖା ଦେଉଛି ତେବେ ଗ୍ରାହକଙ୍କ ନିକଟରୁ ଟଙ୍କା ନେଇ ବିଭାଗୀୟ କର୍ମଚାରୀ ମରାମତି କରୁଥିବା ଅଭିଯୋଗ ହେଉଛି। ଆଗକୁ ପାଣି ମିଟର ବସାଇବା ବେଳେ ନିୟମ ଅନୁସାରେ ଓ ବେନିୟମ ଭାବେ କେତେ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡିବ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍