July 12, 2025

ଫୋର୍ବ୍ସ ଧନୀ ତାଲିକା: ପୁଣି ଶୀର୍ଷରେ ଅମ୍ବାନୀ

 

ନୂଆଦିଲ୍ଲୀ: ଫୋର୍ବ୍ସ ପକ୍ଷରୁ ଚଳିତ ବର୍ଷ ଭାରତର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ୨୦୨୧ରେ ମଧ୍ୟ ରିଲାଏନ୍ସ ଏଣ୍ଟରପ୍ରାଇଜେସ୍‌ ମାଲିକ ମୁକେଶ ଅମ୍ବାନୀ ଦେଶର ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ଏଥିସହ ଲଗାତର ୧୪ ବର୍ଷ ଧରି ଅମ୍ବାନୀ ଦେଶର ସୁବୁଠାରୁ ଧନୀ ବ୍ୟକ୍ତି ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି। ୨୦୦୮ ମସିହାରୁ ସେ ଏହି ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୪ ବିଲିୟନ ଡଲାର ବୃଦ୍ଧି ପାଇ ୯୨.୭ ବିଲିୟନ ଡଲାରରେ ପହଞ୍ଚିଛି।

ଆଦାନୀ ଗ୍ରୁପ୍‌ ମାଲିକ ଗୌତମ ଆଦାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୭୪.୮ ବିଲିୟନ ଡଲାର, ଯାହା ମୁକେଶ ଅମ୍ବାନୀଙ୍କଠାରୁ ୧୭.୯ ବିଲିୟନ ଡଲାର କମ୍‌।

ସେହିପରି ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍‌ ଶିବ ନାଡର ଧନୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ୧୦.୬ ବିଲୟନ୍ ଡଲାର ବୃଦ୍ଧି ପାଇ ୩୧ ବିଲୟନ ଡଲାରରେ ପହଞ୍ଚିଛି।

ଆଭେନ୍ୟୁ ସୁପରମାର୍ଟର ୬୬ ବର୍ଷୀୟ ରାଧାକିଷନ ଦମାନୀ ୨୯.୪ ବିଲୟନ ଡଲାରର ସମ୍ପତ୍ତି ସହ ଭାରତର ଚତୁର୍ଥ ଧନୀ ବ୍ୟକ୍ତି ପାଲଟିଛନ୍ତି।

ସିରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ସାଇରସ୍‌ ପୁନାୱାଲା ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୯ ବିଲିୟନ ଡଲାର।

Spread the love