September 20, 2024

Satya News

odia news channel

ବାଂଲାଦେଶ କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ; ୩୫ ଦଗ୍ଧ, ୪୫୦ରୁ ଅଧିକ ଆହତ

ଢାକା: ବାଂଲାଦେଶର ସିତାକୁଣ୍ଡଠାରେ ଥିବା ଏକ ବେସରକାରୀ ଇନ୍‍ଲାଣ୍ଡ କଣ୍ଟେନର ଡିପୋରେ ବିସ୍ଫୋରଣ ପରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ଲୋକଙ୍କ ମଧ୍ୟରୁ ୩୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୪୫୦ରୁ ଅଧିକ ଲୋକ ନିଆଁରେ ପୋଡିଯାଇ ଆହତ ହୋଇଛନ୍ତି। ଦେଶର ସାମୁଦ୍ରିକ ବନ୍ଦର ଚିଟାଗଙ୍ଗ ନିକଟରେ ଏହି ଘଟଣା ଘଟିଛି। ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣେ ପୋଲିସ ସବ୍‍ଇନ୍ସପେକ୍ଟର ନୁରୁଲ ଆଲାମ କହିଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଥମେ ବିସ୍ଫୋରଣ ଘଟିଥିଲା ଏବଂ ପରେ ସେଠାରେ ନିଆଁ ଲାଗିଯାଇଥିଲା। ଏପର୍ଯ୍ୟନ୍ତ ସେଠାରୁ ୩୫ଟି ମୃତଦେହ ଉଦ୍ଧାର କରାଯାଇଛି। ଆହତ ୪୫୦ରୁ ଅଧିକ ଲୋକଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ଚିଟାଗଙ୍ଗ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ଚିଟାଗଙ୍ଗ ରେଡକ୍ରିସେଣ୍ଟରେ ଚିକିତ୍ସା ଓ ସେବା ବିଭାଗର ମୁଖ୍ୟ ଥିବା ଇସ୍ତାକୁଲ ଇସଲାମ କହିଛନ୍ତି, ଏହି ଦୁର୍ଘଟଣାରେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପଦକ୍ଷେପ ନେଇଥିଲେ। ତେବେ କିଛି ରାସାୟନିକ ପଦାର୍ଥରୁ ସେଠାରେ ନିଆଁ ଲାଗିଥାଇପାରେ ବୋଲି ପୋଲିସ ଏସ୍‍ଆଇ ନୁରୁଲ କହିଛନ୍ତି। ନିଆଁ ଲାଗିବା ପୂର୍ବରୁ ଘଟିଥିବା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପଡୋଶୀ ସଂସ୍ଥାର ଘରଗୁଡିକ ଦୋହଲି ଉଠିଥିଲା ଏବଂ କିଛି ଘରର କବାଟ ଝରକା ମଧ୍ୟ ଏଥିରେ ନଷ୍ଟ ହୋଇଛି। ୧୯ଟି ଦମକଳ ଗାଡିକୁ ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିରେ ମୃତାହତ ଲୋକଙ୍କ ପରିବାରବର୍ଗଙ୍କ ଦାୟିତ୍ୱ ଉକ୍ତ କଣ୍ଟେନର କମ୍ପାନୀ ବହନ କରିବ ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି।
Spread the love