November 22, 2024

Satya News

odia news channel

ବାଟବଣା ଡିଏମ୍‌ଏଫ୍‌: ୫.୫ କିଲୋମିଟର ରାସ୍ତାକୁ ୫୫ କୋଟି

 

ସୁନ୍ଦରଗଡ଼ : ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍) ଅର୍ଥ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ପରିବେଶ ସୁରକ୍ଷା, ସ୍ବାସ୍ଥ୍ୟସେବା, ଶିକ୍ଷା ମହିଳା ଓ ଶିଶୁ ବିକାଶ, ସ୍ବଚ୍ଛତା, ଦକ୍ଷତା ବିକାଶ, ପାନୀୟ ଜଳ, ଜୀବନଜୀବିକା ଓ ଅନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ଅଗ୍ରାଧିକାର ଭିତ୍ତିରେ ଖର୍ଚ୍ଚ ହେବା ଉଚିତ। କିନ୍ତୁ ନିୟମକୁ ଭାଙ୍ଗି ସୁନ୍ଦରଗଡ଼ ଜିଲ୍ଲାରେ ଏହି ପାଣ୍ଠିର ଶହ ଶହ କୋଟି ଟଙ୍କା ଅପବ୍ୟୟ କରା ଯାଉଥିବା ଖବର ବହୁ ପୁରୁଣା। ଏହାର ସଦ୍ୟତମ ଉଦାହରଣ ହେଉଛି, ସୁନ୍ଦରଗଡ଼ କଲେଜ ଛକରୁ ଶଙ୍କରା ରାଜ୍ୟ ରାଜପଥ-୧୦କୁ ସଂଯୋଗ କରୁଥିବା ସାଢ଼େ ୫ କିଲୋମିଟରର ବାଏପାସ୍‌ ରାସ୍ତା।

୨୦ ବର୍ଷ ତଳେ କେବଳ ଏମ୍‌ସିଏଲ୍‌ର କୋଇଲା ପରିବହନ ‌ପାଇଁ ଏହା ତିଆରି ହୋଇଥିଲା। କୋଇଲା ବୋଝେଇ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ଶୋଚନୀୟ ସ୍ଥିତିକୁ ଚାଲିଆସିଥିବା ବେଳେ ଏବେ ତାର ସ୍ଥାୟୀ ଉନ୍ନତୀକରଣ ବା ନବୀକରଣ କାମ ଆରମ୍ଭ କରାଯାଉଛି। କିନ୍ତୁ ବିସ୍ମୟକର କଥା ହେଲା, ଏଥହି ଉନ୍ନତିକରଣ ବା ନବୀକରଣ କାମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ୫୫ କୋଟି ଅନୁଦାନ ଯୋଗାଇ ଦେଇଛି। ଠିକା ସଂସ୍ଥା ଏନ୍‌ବିସିସି ତାକୁ ୪୧ କୋଟିରେ ଟେଣ୍ଡର ନେଇ କାମ କରୁଛି। ସାଧାରଣ ଭାବେ କୋଇଲା ପରିବହନ ପାଇଁ ଉଦ୍ଦିଷ୍ଟ ରାସ୍ତାର ଉନ୍ନତି ବା ନିର୍ମାଣ ପାଇଁ ଏମ୍‌ସିଏଲ୍‌ ହିଁ ଅର୍ଥ ଯୋଗାଇବା କଥା। କିନ୍ତୁ ଏଠାରେ ଅଗ୍ରାଧିକାରଭିତ୍ତିରେ ଖଣି ପ୍ରଭାବିତ ଲୋକଙ୍କ ସର୍ବବିଧ ଉନ୍ନତି ଓ ଅତି ଆବଶ୍ୟକତା ବିଶେଷରେ ଜିଲ୍ଲାର ଅନ୍ୟ କ୍ଷେତ୍ରର ବିକାଶ ପାଇଁ ଥିବା ଅର୍ଥକୁ ଏମ୍‌ସିଏଲ୍‌ର ସୁବିଧାଜନକ କୋଇଲା ପରିବହନ ପାଇଁ ଖର୍ଚ୍ଚ କରାଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପଟେ ବାଙ୍କିବାହାଲରୁ ଭେଡ଼ାବାହାଲ ୪ ୦୦ କୋଟିର ଯେଉଁ ଚାରିଥାକିଆ କୋଲ୍‌ କରିଡର ଏବେ ନିର୍ମାଣ ଚାଲିଛି, ତାହା ସମ୍ପୂର୍ଣ୍ଣ ହେଲା ପରେ ଏମ୍‌ସିଏଲ୍‌ ସେହି ରାସ୍ତାରେ ହିଁ କୋଇଲା ପରିବହନ କରିବ। ସେତେବେଳେ ଏ ବାଏପାସ ରାସ୍ତା ବିଶେଷ କାମକୁ ଆସିବ ନାହିଁ। ଅର୍ଥାତ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ୪୧ କୋଟି ଟଙ୍କା ପାଣିରେ ପଡ଼ିବ। ଏସବୁ କଥା‌ ଜାଣି ମଧ୍ୟ କାହା ସ୍ବାର୍ଥରେ ବା କାହାକୁ ଲାଭ ପହଞ୍ଚାଇବାକୁ ଏତେ ଟଙ୍କା ଯୋଗାଇ ଦିଆଯାଇଛି, ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ।

ପୁଣି ସାଢ଼େ ୫ କିଲୋମିଟର ରାସ୍ତାର ଉନ୍ନତୀକରଣ ବା ନବୀକରଣ ପାଇଁ ୪୧ କୋଟି ଟଙ୍କା ଖର୍ଚ୍ଚ କରାଯିବା ଆଉ ଏକ ପ୍ରଶ୍ନ ଛିଡ଼ା କରିଛି। ଦୁଇ ଥାକିଆ ରାସ୍ତାର ଚଉଡ଼ା ରହିବ ୮.୨୫ ମିଟର। ମାଟିମୁରୁମ ପକାଯିବା ପରେ ଦୁଇ ଲେୟାର କଂକ୍ରିଟ ପଡ଼ିବ। ଏଠାରେ ପ୍ରତି କିଲୋମିଟର ୭.୯୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ପୂର୍ତ୍ତ, ରାଜ୍ୟ ରାଜପଥ ନିର୍ମାଣ ଅଟକଳ ଠାରୁ ବହୁଗୁଣରେ ଅଧିକ ବୋଲି କୁହାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ସହିତ ବିକାଶମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ ହେବା କଥା। କିନ୍ତୁ କଲେଜ ଛକ-ଶଙ୍କରା ବାଏପାସ୍‌ ରାସ୍ତାରେ ୪୧ କୋଟି ଢ଼ାଳିଦେଇ ପ୍ରଶାସନ କାହାର ବିକାଶ କରିବାକୁ ଚାହୁଛି, ତାହା ରହସ୍ୟରେ।

Spread the love