ନୂଆଦିଲ୍ଲୀ: ମେ ୨୬,୨୦୨୧ରେ ଓଡ଼ିଶାରେ କ୍ଷତି ଘଟାଇଥିବା ସାମୁଦ୍ରିକ ଝଡ଼ ବାତ୍ୟା ୟାସର ଚୁଢାନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାର ୧୫ ହଜାର ୫୦ କୋଟି ଟଙ୍କାର ସହାୟତା କେନ୍ଦ୍ର ସରକାରଙ୍କଠାରୁ ମାଗିଛନ୍ତି। ଆଗକୁ କେନ୍ଦ୍ର ସରକାର ଓଡ଼ିଶାର ସହାୟତା ଦାବି ତଥା କେନ୍ଦ୍ରୀୟ ଟିମର ସୁପାରିସ ଅର୍ନ୍ତଗତ ସହାୟତା ରାଶିର ଘୋଷଣା କରିବେ। ଓଡ଼ିଶାର ଦାବି ମୁତାବକ କେତେ ପରିମାଣର ଅର୍ଥ କେନ୍ଦ୍ର ସରକାର ରାଜ୍ୟ ପାଇଁ ଘୋଷଣା କରିବେ ତାହା ଉପରେ ରାଜ୍ୟର ନଜର ରହିବା ସ୍ବାଭବିକ। ହେଲେ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ ରାଜ୍ୟ ସାମ୍ନା କରିଥିବା ୮ଟି ବାତ୍ୟାର କ୍ଷୟକ୍ଷତି ବାବଦରେ ସମୁଦାୟ ଆକଳନ କରାଯାଇ କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିବା ୨୯ ହଜାର ୪୮୦ କୋଟି ୩୭ ଲକ୍ଷ ଟଙ୍କାର ସହାୟତାରୁ ରାଜ୍ୟକୁ ଜାତୀୟ ବିପର୍ଯାୟ ପାଣ୍ଠିରୁ ମିଳିଛି ମାତ୍ର ୫୨୮୫ କୋଟି ୬୮ ଲକ୍ଷ ଟଙ୍କା।ଯଦି ରାଜ୍ୟର ପୁର୍ବର ୮ଟି ବାତ୍ୟା ସହାୟତା ପାଇଁ ଦାବି ମୁତାବକ କେନ୍ଦ୍ରୀୟ ଆବଣ୍ଟନର ଆକଳନ କରାଯାଏ, ସେଥିରେ ୨୦୧୯ର ଫନି ବାତ୍ୟା ସହାୟତା ପାଇଁ ଓଡ଼ିଶାକୁ ସର୍ବାଧିକ ୩୧୧୪ କୋଟି ଟଙ୍କାର ସହାୟତା ମିଳିଛି।
ରାଜ୍ୟ ସରକାରଙ୍କର ତଥ୍ୟ ଅନୁସାରେ ୧୯୯୯ର ମହାବାତ୍ୟା ପରେ ରାଜ୍ୟରେ ୮ଟି ବାତ୍ୟା ଅନୁଭୁତ ହୋଇଥିଲା। ୨୦୧୩ରେ ଫାଇଲିନ,୨୦୧୪ରେ ହୁଡହୁଡ,୨୦୧୮ରେ ତିତଲି, ପେଥାଇ ଓ ଡାଏ, ୨୦୧୯ରେ ଫନି ଓ ବୁଲବୁଲ ଏବଂ ୨୦୨୦ରେ ବାତ୍ୟା ଅମ୍ଫାନ ରାଜ୍ୟ ପାଇଁ ବିପର୍ଯ୍ୟୟ ଆଣିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩ର ବାତ୍ୟା ଫାଇଲିନର ପ୍ରଭାବରେ ୧୪ ହଜାର ୩୭୩ କୋଟି ୪୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଥିଲା, ଆଉ କ୍ଷୟକ୍ଷତି ସହାୟତା ବାବଦରେ କେନ୍ଦ୍ର ନିକଟରୁ ୪୨୪୨ କୋଟି ୪୨ ଲକ୍ଷ ଟଙ୍କା ମଗାଯାଇଥିଲା। ହେଲେ କେନ୍ଦ୍ରରୁ ସହାୟତା ବାବଦରେ ମିଳିଥିଲା ୧୧୪୯ କୋଟି ୮୩ ଲକ୍ଷ ଟଙ୍କା। ୨୦୧୪ରେ ହୁଡହୁଡ ବାତ୍ୟାରେ ରାଜ୍ୟ ସରକାର କ୍ଷତି ହୋଇଥିବା ୪୯୪୯ କୋଟିଟଙ୍କାରୁ ସହାୟତା ପାଇଁ କେନ୍ଦ୍ର ନିକଟରୁ ମାଗିଥିଲେ ୭୭୭ କୋଟି ୧୨ଲକ୍ଷ ଟଙ୍କା, ସହାୟତା ବାବଦରେ କିଛି ବି ମିଳିନଥିବାର କୁହାଯାଇଛି। ସେହିଭଳି ବାତ୍ୟା ଡାଏ ଯୋଗୁ ରାଜ୍ୟରେ ୨.୩୩ କୋଟି ଟଙ୍କା କ୍ଷତି ହୋଇଥିଲେ ମଧ୍ୟ ଓଡ଼ିଶା କେନ୍ଦ୍ର ନିକଟରେ କୌଣସି ସହାୟତା ଦାବି କରିନଥିଲା। ୨୦୧୮ର ତିତଲି ବାତ୍ୟାରେ ୨୭୭୯ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। କ୍ଷୟକ୍ଷତିର ସଂପୂର୍ଣ୍ଣ ଭରଣା ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଥିଲେ ମଧ୍ୟ ରାଜ୍ୟକୁ କ୍ଷୟକ୍ଷତି ବାବଦରେ ମିଳିଥିଲା ୩୪୧ କୋଟି ୭୨ ଲକ୍ଷ ଟଙ୍କାର ସହାୟତା। ୨୦୧୮ରେ ଓଡ଼ିଶାରେ ମାଡ ହୋଇଥିବା ଆଉ ଏକ ବାତ୍ୟା ପେଥାଇରେ ୪୪କୋଟିର କ୍ଷତି ହୋଇଥିଲା, ରାଜ୍ୟ ପକ୍ଷରୁ କୌଣସି ସହାୟତା ମଗାଯାଇନଥିଲା। ୨୦୧୯ ଫନି ବାତ୍ୟାରେ ୯୩୩୬କୋଟି ୨୭ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା। ରାଜ୍ୟ ସରକାର କେନ୍ଦ୍ରକୁ ୫୨୨୭ କୋଟି ୬୮ ଲକ୍ଷ ଟଙ୍କାର ସହାୟତା ମାଗିଥିଲେ। କେନ୍ଦ୍ର ଦ୍ବାରା ୩୧୧୪ କୋଟି୪୬ ଲକ୍ଷ ଟଙ୍କାର ସହାୟତା ରାଜ୍ୟକୁ ଯୋଗାଇ ଦିଆଯାଇଥିଲା। ୨୦୧୯ର ବୁଲବୁଲ ବାତ୍ୟାରେ ଓଡ଼ିଶାରେ ହୋଇଥିବା ୨୨୪ କୋଟି ୪୩ ଲକ୍ଷ ଟଙ୍କାର କ୍ଷତିପାଇଁ କେନ୍ଦ୍ର ସରକାର ସହାୟତା କରିଥିଲେ ୧୭୯ କୋଟି ୬୪ ଲକ୍ଷ ଟଙ୍କା। ସେହିପରି ୨୦୨୦ରେ ଓଡ଼ିଶାରେ ଅନୁଭୁତ ହୋଇଥିବା ବାତ୍ୟା ଅମ୍ଫାନରେ ୨୩୬ କୋଟି ୬୮ଲକ୍ଷ ଟଙ୍କାର କ୍ଷତି ଘଟିଥିଲା। ରିଲିଫ ଓ ପୁନଃ ନିର୍ମାଣ ପାଇଁ ୨୦୧ କୋଟି ଟଙ୍କା ଏବଂ ମିଟିଗେସନ ପାଇଁ ରାଜ୍ୟ ସରକାର ୧୬ ହଜାର ୩୨କୋଟି ଟଙ୍କା ମାଗିଥିଲେ। ଏନଡିଆରଏମ ପାଣ୍ଠିରୁ ଏ ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ୫୦୦ କୋଟି ଟଙ୍କା ପ୍ରଦାନ କରିଥିଲେ।
ଏଥର ବାତ୍ୟା ୟାସର କ୍ଷତିଭରଣା ପାଇଁ ଓଡ଼ିଶାର ଦାବି ମୁତାବକ କେନ୍ଦ୍ର ସରକାର କେତେ ପରିମାଣର ଅର୍ଥରାଶି ଓଡ଼ିଶାକୁ ଯୋଗାଇ ଦେବେ ତାହା ଅତ୍ୟନ୍ତ ଗରୁତ୍ବପୁର୍ଣ୍ଣ ହେବ। କାରଣ ବାତ୍ୟା ୟାସ୍ ପରିପେକ୍ଷୀରେ ଓଡ଼ିଶା କେନ୍ଦ୍ର ନିକଟରୁ ସହାୟତା ରାଶି ଲୋଡ଼ିବାର ରଣନୀତିରେ ପରିବର୍ତ୍ତନ କରିଛି। ଓଡ଼ିଶା ନିୟମିତ ବ୍ୟବଧାନରେ ବାତ୍ୟା ବିପର୍ଯ୍ୟୟର ସାମନା କରୁଥିବା ଯୋଗୁ କେନ୍ଦ୍ର ଉପରେ ଅତ୍ୟଧିକ ଭରସା ନ କରି ଭିତ୍ତିଭୂମି ଉପରେ ଅଧିକ ଫୋକସ ଦେବା ପାଇଁ ତତ୍ପରତା ପ୍ରକାଶ କରିଛି। ବାତ୍ୟା ୟାସ୍ ପରେ ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଓଡ଼ିଶା ଗସ୍ତ କରିଥିଲେ ସେହି ସମୟରେ ସେ ୟାସ୍ କ୍ଷୟକ୍ଷତି ଆକାଶମାର୍ଗରୁ ଅନୁଧ୍ୟାନ କରିବା ପରେ ୫ଶହ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶିର ଘୋଷଣା କରିଥିଲେ। ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ କରୋନା ମହାମାରୀ ସହ ଲଢେଇ ଜାରି ରଖିଥିବାରୁ ବାତ୍ୟା ପରବର୍ତ୍ତି ପୁନରୁଧାର କାର୍ଯ୍ୟ ପାଇଁ ନିଜ ସମ୍ବଳରୁ କାମ କରିବ ବୋଲି କେନ୍ଦ୍ର ଠାରୁ କୌଣସି ପାଣ୍ଠିର ଦାବି କରିନଥିଲେ। ଅଳ୍ପକିଛି ସହାୟତା ବଦଳରେ ବାତ୍ୟାକୁ ସମ୍ଭାଳିପାରୁଥିବା ବିଦ୍ୟୁତ ଭିତ୍ତିଭୁମି ବ୍ୟବସ୍ଥା କରିବା ପାଇଁ ଦୀର୍ଘସ୍ଥାୟୀ ବାତ୍ୟା ନିରୋଧି ବନ୍ଧ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ବାତ୍ୟା ୟାସ୍ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଚୁଢାନ୍ତ ରିପୋର୍ଟ କେନ୍ଦ୍ର ନିକଟକୁ ପଠାଯାଇଛି ସେଥିରେ ରାଜ୍ୟର ମୁଖ୍ୟତଃ ଦୁଇଟି ଆବଶ୍ୟକତା ତଥା ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଏବଂ ସମୁଦ୍ର ଜୁଆର ରୋକିବା ପାଇଁ ସୁଦୃଢ଼ ଓ ଉଚ୍ଚ ଲୁଣାଘେରି ବନ୍ଧ ଉପରେ ଗୁରୁତ୍ବାରୋପ କରାଯାଇଛି, ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଧ୍ୟାନ କରାଯିବ ବୋଲି ଜଣାପଡିଛି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି