April 11, 2025

ବିନା ଅନୁମତିରେ ଚାଲିଛି ମୁରୁମ୍ ଖନନ!

 

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଆଡେଣିଗଡ ଆରଆଇ ସର୍କଲର ତିଲିକପୁର, ଉପରକଟା ଏବଂ କରଞ୍ଜକଟା ଅଂଚଳର ସଂରକ୍ଷିତ ଓ ଗ୍ରାମ୍ୟ ଜଙ୍ଗଲ ସହିତ ବିଭିନ୍ନ ସରକାରୀ ଜମିରୁ ବସୁଧା ନାମ ରେଲେଓ ଠିକାସଂସ୍ଥା ବେନିୟମଭାବେ ମୁରୁମ୍ ଉତ୍ତୋଳନ ଚଳାଇଛି। ଦୀର୍ଘ ଦିନ ହେଲା ଠିକାସଂସ୍ଥା ଦ୍ୱାରା ବେନିୟମଭାବେ ମୁରୁମ୍ ଉତ୍ତୋଳନ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ଘଟୁଛି। ଏହା ସହିତ ଠିକାସଂସ୍ଥାର ଏଭଳି ବେନିୟମ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ହରଭଙ୍ଗା ତହସିଲର ଆଡେଣିଗଡ ଠାରୁ ବଡବନ୍ଧ ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ କଙ୍କନ ନାମକ ରେଲେୱେ ଠିକା ସଂସ୍ଥାକୁ ମିଳିଛି। ଏହାର ନିର୍ମାଣ କାର୍ଯ୍ୟ କଙ୍କନ ରେଲେୱେ ନିଜେ କରିବା ପରିବର୍ତ୍ତେ ଆନ୍ଧ୍ର ଅଞ୍ଚଳର ଏସଆରସି ନାମକ ଠିକାସଂସ୍ଥାକୁ ପେଟି ଠିକାଦାରଭାବେ କାର୍ଯ୍ୟ ହସ୍ତାନ୍ତର କରିଛି। ବର୍ତ୍ତମାନ ଏସଆରସି ଠିକାସଂସ୍ଥା ବସୁଧା ନାମକ ଆଉ ଏକ ଠିକାସଂସ୍ଥାକୁ ଏହି କାମରେ ନିୟୋଜିତ କରିଥିବା ଜଣାପଡିଛି। ବସୁଧା ନାମକ ଠିକାସଂସ୍ଥା ରେଲପଥ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଶହ ଶହ ଟ୍ରିପ ମୁରୁମ୍ ଏବଂ ମାଟି ବିନା ଅନୁମତିରେ ନିକଟସ୍ଥ ଜଙ୍ଗଲ, ପାହାଡରୁ ଉତ୍ତୋଳନ କରି ରାଜସ୍ୱ ଫାଙ୍କିବାରେ ସକ୍ଷମ ହୋଇଛି। ଏହାଦ୍ୱାରା ପ୍ରଚୁର ପରିମାଣରେ ରାଜସ୍ୱ କ୍ଷତି ଘଟୁଛି। ଏ ଦିଗରେ ତହସିଲ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ଉଠୁଛି।

Spread the love