July 7, 2025

ବ୍ରହ୍ମପୁରରେ ଭୂତଳ ଜଳସ୍ତର ଖସିଚାଲିଛି, ଅର୍ଦ୍ଧାଧିକ ଅଞ୍ଚଳରେ ୨୦୦ ଫୁଟ ତଳେ ଜଳସ୍ତର

 

ବ୍ରହ୍ମପୁର : ବ୍ରହ୍ମପୁର ସହରସାରା ସୁଉଚ୍ଚ ବହୁତଳ ବିଶିଷ୍ଟ ପ୍ରାସାଦ, ଆପାର୍ଟମେଣ୍ଟ। ଯେଉଁଆଡ଼େ ଚାହିଁବ ଖାଲି କଂକ୍ରିଟ୍‌ ଜଙ୍ଗଲ। ସେତିକି ନୁହେଁ, ମାଳମାଳ ବୋର୍‌ୱେଲ୍ ମଧ୍ୟ ଖୋଳା ଚାଲିଛି। ସହର ଭିତରେ ଥିବା ଜଳଉତ୍ସ ଗୁଡ଼ିକର ବି ଆବଶ୍ୟକ ରକ୍ଷଣାବେକ୍ଷଣ ହେଉନାହିଁ। ଯାଦ୍ବାରା ସିଧାସଳଖ ପ୍ରଭାବ ଭୂତଳ ଜଳସ୍ତର ଉପରେ ପଡ଼ୁଛି। ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏପରିକି କେତେକ ସ୍ଥାନରେ ୨୦୦ଫୁଟ୍ ପର୍ଯ୍ୟନ୍ତ ଗଭୀର ନଳକୂପ (ବୋର୍‌ୱେଲ୍) ଖୋଳିଲେ ଜଳସ୍ତର ପଡ଼ୁନଥିବାର ନଜିର ରହିଛି।

ତଥ୍ୟ ଅନୁସାରେ, ବ୍ରହ୍ମପୁର ସହରର ହିଲ୍‌ପାଟଣା, ଲଂଜିପଲ୍ଲୀ, ଅଙ୍କୋଲି ଭଳି ଅଂଚଳରେ ଭୂତଳ ଜଳସ୍ତର ନିମ୍ନସ୍ତରରେ ରହୁଛି। ଖରାଦିନ ନଆସୁଣୁ କୂପ, ନଳକୂପ ଗୁଡ଼ିକ ଶୁଖିଯାଉଛି। ତେବେ ଏହି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ୨୦୧୪ମସିହା‌ରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହୋଇଥିଲା। କୋଠା ଘର ଗୁଡ଼ିକର ଛାତ ଉପର ପାଣିକୁ ନାଳରେ ବୋହିବାକୁ ନଦେଇ ଏହାକୁ ସଂଗ୍ରହ କରି ନିକଟସ୍ଥ ଭୂତଳ ଜଳସ୍ତର ବୃଦ୍ଧିରେ ବ୍ୟବହାର କରିବା ପାଇଁ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଭୂତଳ ଜଳ ବିଭାଗ ଦ୍ବାରା ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା। ଏଥିରେ ସହରବାସୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସବ୍‌ସିଡି ବ୍ୟବସ୍ଥା କରାଯାଇଥିଲା।

ଏନେଇ ବ୍ୟାପକ ସଚେତନତା କରାଯାଇଥିଲା। ବ୍ରହ୍ମପୁର ଉନ୍ନୟନ ପରିଷଦ (ବିଡିଏ) ପକ୍ଷରୁ ମଧ୍ୟ ସହରରେ ଏକାଧିକ ମହଲା ବିଶିଷ୍ଟ କୋଠା ନିର୍ମାଣ କରିବାକୁ ସ୍ବୀକୃତି ଦେବା ପାଇଁ ଏହି ପ୍ରକଳ୍ପ ସ୍ଥାପନ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ତଥାପି ୫ବର୍ଷ ମଧ୍ୟରେ ସହରରେ ଏହି ପ୍ରକଳ୍ପ ସଂଖ୍ୟା ମାତ୍ର ୨ହଜାର ଛୁଇଁନଥିଲା। ୨୦୧୯ରୁ ଏହି ଯୋଜନାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। କିନ୍ତୁ ଗତ ଦୁଇ ବର୍ଷ ହେଲା ଏଥିପାଇଁ ଆର୍ଥିକ ଅନୁଦାନ ଆସିନାହିଁ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଉଥିବା ବିଭାଗରେ ଆବଶ୍ୟକ ମାନବ ସମ୍ବଳର ଅଭାବ ଦେଖାଦେଇଛି, ଯାହାକି ଏହି ଯୋଜନାର ସଫଳ ରୂପାୟନରେ ଅନ୍ତରାୟ ସୃଷ୍ଟି କରିଛି।

Spread the love