ଦଶରଥପୁର : ଯାଜପୁରର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ନିଜାମପୁର ପଞ୍ଚାୟତରେ ଏକ ବଡ଼ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ବ୍ୟକ୍ତିଗତ ଦାଣ୍ଡକୁ ରାସ୍ତା ଦର୍ଶାଇ ଏକ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମର ସ୍ବର୍ଗତ ମଦନମୋହନ ଦାସଙ୍କ ପୁଅ ବୃନ୍ଦାବନଙ୍କ ଘରଆଗ ଦାଣ୍ଡ କାଦୁଅ ହେଉଥିବାରୁ ସେ ବ୍ୟକ୍ତିଗତ ଟଙ୍କାରେ ଏହାକୁ ଢଳାଇ କରିଥିଲେ। ହେଲେ ଏହି କାମରେ ବିଲ୍ କରାଯାଇ ୧ ଲକ୍ଷ ଟଙ୍କା ଉଠାଇ ନିଆଯାଇଛି।
ଅଭିଯୋଗ ଅନୁଯାୟୀ, ମଦନ ମୋହନ ଦାସଙ୍କ ଦାଣ୍ଡ ଢଳାଇକୁ ମଦନ ଦାସ ସାହି ରାସ୍ତା ଦର୍ଶାଇ ୧ ଲକ୍ଷ ଟଙ୍କା ବିଲ୍ କରାଯାଇଛି। ପଞ୍ଚାୟତର ପିଇଓ ବିସେନ ମାରାଣ୍ଡିଙ୍କ ନାମରେ ଏହାର କାର୍ଯ୍ୟାଦେଶ ରହିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ଅର୍ଥ କମିଶନ ଟଙ୍କାରୁ ବିଲ୍ କରାଯାଇଥିଲା। ଏଠାରେ କୌଣସି ସୂଚନା ଫଳକ ଲଗାଯାଇନଥିଲା। ନିଜେ ପିଇଓଙ୍କ ନାମରେ କାର୍ଯ୍ୟାଦେଶ ରହିଥିବା ବେଳେ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଏହାର ବିଲ୍ କରିଥିଲେ।
ଏସମ୍ପର୍କରେ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଅମିୟ ରାଉତଙ୍କୁ ପଚାରିବାରୁ, ପୁରୁଣା କାମ ହୋଇଥିବାରୁ ପ୍ରକଳ୍ପ ସମ୍ପର୍କରେ ଆଉ ମନେନାହିଁ ବୋଲି କହିଛନ୍ତି। ଯଦି ପିଇଓଙ୍କ ନାମରେ ବିଲ୍ ହୋଇଛି, ତା’ହେଲେ ସେ ଅଧିକ କହିପାରିବେ ବୋଲି କନିଷ୍ଠ ଯନ୍ତ୍ରୀ ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତର ପିଇଓ ଶ୍ରୀ ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତାର କାର୍ଯ୍ୟାଦେଶ ତାଙ୍କ ନାମରେ ଥିଲା, ହେଲେ ସ୍ଥାନୀୟ ସରପଞ୍ଚ ନିଜେ କାମ କରିଥିବାରୁ ତାଙ୍କୁ ବିଲ୍ ଉଠାଇ ଦେଇଛନ୍ତି ବୋଲି କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି