April 11, 2025

ଭୁବନେଶ୍ବରରେ ବନ୍ଦ ହେଲା ଡ୍ରାଇଭ୍ ଇନ୍ ଭ୍ୟାକ୍ସିନେସନ୍ ସେଣ୍ଟର : ୧୦ଟି ଯାକ ସେଣ୍ଟର ବନ୍ଦ କଲା ବିଏମସି

 

ଭୁବନେଶ୍ବର ୩୧।୭: ଆଜିଠାରୁ ବନ୍ଦ ହେବ ଭୁବନେଶ୍ବରର ସମସ୍ତ ୧୦ଟି ଯାକ ଡ୍ରାଇଭ ଇନ୍ ଭ୍ୟାକ୍ସିନେସନ ସେଣ୍ଟର । ଏ ନେଇ ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି । ଭୁବନେଶ୍ବରର ବିଭିନ୍ନ ମଲ୍ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିଲା ଏହି କେନ୍ଦ୍ର । ଭୁବନେଶ୍ବରରେ ମୋଟ୍ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଛି । ୩୦ଟି ସରକାରୀ ହସ୍ପିଟାଲରେ ୧୫ଟି ମୋବିଲାଇଜେସନ ସେଣ୍ଟର ଓ ଡ୍ରାଇଭ୍ ଇନ୍ ଭ୍ୟାକ୍ସିନେସନ ସେଣ୍ଟର ସାମିଲ ରହିଛି ।  ଆସନ୍ତାକାଲିଠାରୁ ୪୫ଟି କେନ୍ଦ୍ରରେ ଟିକାକରଣ ଜାରି ରହିବ । ତେବେ ହାଇସ୍କୁଲ ଖୋଲି ଯାଇଥିବାରୁ ଭୁବନେଶ୍ବରର ହାଇସ୍କୁଲଗୁଡିକରେ ଥିବା ଟିକା କେନ୍ଦ୍ରକୁ ସେଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଶତ ପ୍ରତିଶତ ଟିକାକରଣ ସହିତ ଅନଲକ୍ ଆଡକୁ ଆମେ ଯାଉଥିବାରୁ ତଥା ଟିକା ନେଇନଥିବା ଲୋକଙ୍କ ସଂଖ୍ୟା କମ୍ ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା ବିଏମସି ଜୋନାଲ ଡେପୁଟି କମିଶନର କହିଛନ୍ତି ।

ସେପଟେ ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ୍ ପୁରଣ ହୋଇଛି ବୋଲି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ବିଭିନ୍ନ ବର୍ଗରେ ମୋଟ୍ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ୍ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ୍ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଶୁକ୍ରବାର ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ୍ ନେଇସାରିଛନ୍ତି । ୭ ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ୍ ଟିକା ନେଇ ସାରିଛନ୍ତି ।

ତେବେ ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ବର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ। ଭୁବନେଶ୍ବରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି।

Spread the love