July 13, 2025

ମଣ୍ଡିରେ ଧାନ କିଣା ଅବଧି ଜୁଲାଇ ୧୫ ଯାଏ ବଢାଯାଉ- କଂଗ୍ରେସ

 

ଭୁବନେଶ୍ୱର: ରବି ଧାନ କିଣାବିକାରେ ବ୍ୟାପକ  ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆସିଛି । ମୌସୁମୀ ବର୍ଷାରେ ମଣ୍ଡିରେ ଭିଜୁଛି ଧାନ। ହନ୍ତସନ୍ତ ହେଉଛନ୍ତି ଚାଷୀ । ମିଲର ଓ ସରକାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି  କଂଗ୍ରେସ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ।

ସୂଚନାଥାଉ କି, ୧୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ସରକାର ଘୋଷଣା କରିଥିଲେ । ଜୁନ୍ ୩୦ରେ ଧାନ କିଣା ଅବଧି ସରିବାକୁ ଥିବା ବେଳେ ଏବେ ସେତିକି ପରିମାଣର ଧାନ କିଣାଯିବା ନେଇ ଆଶା ଦିଶୁନାହିଁ । ଚାଷୀଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ ଥିବାରୁ କିପରି ଧାନ କିଣା ସମ୍ଭବ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଜୁନ୍ ୩୦ ପରିବର୍ତ୍ତେ ଜୁଲାଇ ୧୫ ପର୍ଯ୍ୟନ୍ତ ବଢ଼ାଇବା ପାଇଁ କଂଗ୍ରେସ ଦାବି କରିଛି । ସେହିପରି ସରକାର ଚାଷୀଙ୍କୁ ତୁରନ୍ତ ଅଖା ଓ ପରିବହନ ଖର୍ଚ୍ଚ ପ୍ରଦାନ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ରବି ଋତୁରେ ବିକ୍ରି ଅପେକ୍ଷାରେ କେବଳ ଏଇ ମଣ୍ଡିରେ ପଡିଛି ପ୍ରାୟ ୧୦ ହଜାରରୁ ଅଧିକ ବସ୍ତା ଧାନ । ଚାଷୀ ଅନେଇ ବସିଛି, ହେଲେ ମିଲର୍ସଙ୍କ ଦେଖା ନାହିଁ । ପ୍ରାୟ ୨୯ଜଣ ଚାଷୀଙ୍କ ଟୋକନ ବି ଲାପ୍ସ ହୋଇଗଲାଣି । ଯେଉଁ  ସ୍ୱଂୟ ସହାୟକ ଗୋଷ୍ଠୀ ଧାନ କିଣିବାକୁ ସ୍ଥିର ହୋଇଛି, ତାଙ୍କ କହିବା କଥା ସେମାନଙ୍କ ଟାର୍ଗେଟ୍ ପ୍ରାୟ ଫିଲଅପ୍ ହୋଇଗଲାଣି ।

ସେହିପରି ପାଟଣାଗଡ଼ ଉପଖଣ୍ଡ ଧୂମାଭଟା ଗାଁର  ଚାଷୀ ଯୁଗଲାଲ ବୁଡେକ୍‌ ମଣ୍ଡିରେ ଧାନ ବିକି ନପାରି ଘରେ ୬୦ କୁଇଣ୍ଟାଲ୍ ପାଖାପାଖି ଥାକ ମାରି ରଖିଛନ୍ତି । ଠିକ୍ ସମୟରେ କାଗଜପତ୍ର ଦେଇଥିଲେ, ହେଲେ ଟୋକନ୍ ପାଇଲେନି । ଯୁଗଲାଲ୍ ବର୍ଷା ଯୋଗୁଁ ଧାନ ଅଧିକ ଦିନ ରହି ଗଜା ମାରିବା ଆଶଙ୍କାରେ ଘର ଲୋକେ ଶୁଖାଇବାକୁ ଚେଷ୍ଟା ଚଳାଇଛନ୍ତି ।

Spread the love