October 18, 2024

Satya News

odia news channel

ମମିତା ଝଡ଼ରେ ବିଧାନସଭା ଅଚଳ : ୭ମ ଦିନ, ୭ଥର ମୁଲତବୀ, ୭ମିନିଟ୍‌ ଚାଲିଲାନି

 

ଭୁବନେଶ୍ବର :  ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି। ଶୀତ ଅଧିବେଶନର ସପ୍ତମ ଦିନରେ ଗୃହକୁ ୭ଥର ମୁଲତବି ରଖିବାକୁ ପଡ଼ିଛି। ସମୁଦାୟ ୭ମିନିଟ୍ ଗୃହ ସୁରୁଖଉରୁରେ ଚଳାଇବା ସମ୍ଭବପର ହୋଇନାହିଁ। ପୂର୍ବରୁ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରତିବାଦ ଜଣାଉଥିଲେ, ମାତ୍ର ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ଚଳିତ ଅଧିବେଶନରେ ବିଜେପି ଓ କଂଗ୍ରେସ ଏଭଳି ଭାବେ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି ଯେ ବାଚସ୍ପତି ମଧ୍ୟ ଅସହାୟ ହୋଇପଡୁଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବାକୁ ଯାଇ ଶାସକଦଳ ପକ୍ଷରୁ ମଧ୍ୟ ଗୃହ ଭିତରେ ଏବଂ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଗ୍ୟାସ ଦର ବୃଦ୍ଧି, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଘନ ଘନ ପ୍ରତିବାଦ କରାଯାଉଛି। ଫଳରେ ଗୃହ କାର୍ଯ୍ୟ ଆଗେଇ ପାରୁନାହିଁ। ଦୁଇ ଦୁଇଥର ସର୍ବଦଳୀୟ ବୈଠକ ବସୁଛି, ଆଲୋଚନା ପରେ ଆଲୋଚନା ହେଉଛି କିନ୍ତୁ ଫଳ ଶୂନ୍।
ଲଘୁଚାପଜନିତ ବର୍ଷାରେ ରାଜ୍ୟର ଅର୍ଧାଧିକ ଜିଲାର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଧାନଫସଲ ଓ ପନିପରିବା ନଷ୍ଟ ହୋଇଯାଇଛି। ଚାଷୀମାନେ ହା ହୁତାଶ ଦେଇ ଗତି କରୁଛନ୍ତି। କେଉଁଠି ଚାଷୀ ଆତ୍ମ ହତ୍ୟା କରୁଥିବା ନେଇ ଅଭିଯୋଗ ହେଉଛି ତ ଆଉ କେଉଁଠି ବିଲ ମୁଣ୍ଡରେ ଫସଲ ଦେଖି ଚାଷୀ ବେହୋସ ହୋଇଯାଉଛନ୍ତି। ହେଲେ ଏସବୁକୁ ନା ବିରୋଧୀ, ନା ଶାସକ ଦେଖି କେହି ପାରୁନାହାନ୍ତି। ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରା‌ଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ଓ କଂଗ୍ରେସ ଅଟଳ ରହିଛି। ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପିର କେତେକ ସଦସ୍ୟ ଘଣ୍ଟ ମାଡ କରିଥିବାବେଳେ ଆଉ କେତେକ ପ୍ଲାକାର୍ଡ-ପୋଷ୍ଟର ଓ ବ୍ୟାନର ଧରି ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ। କଂଗ୍ରେସ

ବୁଧବାର ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ପାଇଁ ଥିଲେ ହେଁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା। ଆସନ୍ତାକାଲି ଏହି ଦୁଇଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବିକୁ ‘ଗିଲୋଟିନ୍’ ଜରିଆରେ ପାରିତ କରାଯିବ ବୋଲି ବାଚସ୍ପତି ସୂଚନା ଦେବା ସହ ଗୁରୁବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।
ବୁଧବାରଗୃହ କାର୍ଯ୍ୟ ଆରମ୍ଭ ହେବ ମାତ୍ରେ ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗକୁ କି ଚାଲିଆସି ପ୍ରବଳ ହୋହାଲ୍ଲା କରିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମମିତା ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଫଟୋ ଥିବା ପୋଷ୍ଟର ଦେଖାଇ ସ୍ଲୋଗାନ ଦେଇଥିଲେ। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ସହିତ ଗିରଫ ଦାବିରେ ଗୃହରେ ଘଣ୍ଟ ବଜାଇ କମ୍ପମାନ କରିଥିଲେ। ଗୃହ ବାହାରେ ମଧ୍ୟ ବିଜେପି ବିଧାୟକମାନେ ପୋଷ୍ଟର, ବ୍ୟାନର ଧରି, ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ।
କଂଗ୍ରେସ ବିଧାୟକମାନେ ହାତରେ ମମିତା ହତ୍ୟାକାରୀ ମନ୍ତ୍ରୀଙ୍କୁ ବହିଷ୍କାର କର, ଗିରଫ କର ଲେଖାଥିବା ପୋଷ୍ଟର ଦେଖାଇ ହୋହାଲ୍ଲା କରିଥିଲେ। ଉଭୟ ବିରୋଧୀ ଦଳର ସଦସ୍ୟମାନେ ସ୍ଲୋଗାନ ଦେଇ ତୁମୁଳ ହଟ୍ଟଗୋଳ କରିଥିଲେ ।
ଏହି ସମୟରେ ବିଜେଡ଼ି ବିଧାୟକମାନେ ହାତରେ ମମିତା ଘଟଣାର ମୁଖ୍ୟ ଅଭିଯୁକ୍ତ ସପକ୍ଷରେ ଲଢ଼ୁଥିବା ଓକିଲଙ୍କର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ବରିଷ୍ଠ ନେତାମାନଙ୍କ ସହ ଥିବା ପୋଷ୍ଟର ଦେଖାଇ ପ୍ରତିବାଦ ଆରମ୍ଭ କରିଥିଲେ । ବିଜେପିର ଦଳୀୟ ଲୋକ ମମିତା ହତ୍ୟାକାରୀର ମାମଲା ଲଢ଼ୁଛନ୍ତି କହି ହୋହାଲ୍ଲା କରିଥିଲେ। ଅପରାଧୀଙ୍କୁ ସୁରକ୍ଷା ଦଉଛ କୁମ୍ଭୀର କାନ୍ଦଣା କାନ୍ଦୁଛ, ଲୁଚିଛି ନା ଗୋଡ ଦୁଇଟା ଦିଶୁଛି, ଆମେ ପୁରାଉଛୁ ଜେଲରେ ତମେ ଆଣୁଛ ବେଲରେ ଲେଖାଥିବା ପୋଷ୍ଟର ଧରି ବିଜେଡ଼ି ବିଧାୟକ ମାନେ ପ୍ରତିବାଦ କରିଥିଲେ। ବିଜେପି ସଭ୍ୟମାନେ ଗୃହ ବାହାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଫଟୋ ଥିବା ପୋଷ୍ଟର ଦେଖାଇ ବିଜେଡିର ଦୋମୁହାଁ ନୀତିକୁ ନେଇ ବର୍ଷିଥିଲେ।
ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଓକିଲ ମୋହନ ଲାଲ ଶର୍ମା ବିଜେପିର କୌଣସି ପଦ ପଦବୀରେ ନାହାନ୍ତି। ମାତ୍ର ମମିତା ମେହେର ହତ୍ୟାକାଣ୍ଡରୁ ମୁହଁ ଫେରାଇବାପାଇଁ ବିଜେଡ଼ି ଏଭଳି ନାଟକ ରଚୁଛି। ଯେ ପର୍ଯ୍ୟନ୍ତ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ନକରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ହଟିବୁ ନାହିଁ। ସର୍ବଦଳୀୟ ବୈଠକ ନେଇ ଶ୍ରୀ ସେଠୀ କହିଥିଲେ ଯେ ଆମେ ପ୍ରସ୍ତାବ ରଖିଥିଲୁ ଯେ ମୁଖ୍ୟମନ୍ତ୍ରୀ ଗୃହକୁ ଆଗେ ଆସନ୍ତୁ। ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା କାଳରେ ହେଲେ ବିଭାଗୀୟ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅନୁପସ୍ଥିତି କାହିଁକି ରହିବେ। ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାପାଇଁ ଜିଲାକୁ ଜିଲା ବୁଲୁଛନ୍ତି, ହକି ଷ୍ଟାଡିୟମ ଯାଇ ପାରୁଛନ୍ତି। ହେଲେ ବିଧାନସଭାକୁ କାହିଁକି ଆସୁନାହାନ୍ତି ବୋଲି ସେ କହିଥିଲେ। ଚାଷୀ ପ୍ରସଙ୍ଗରେ ଆମେ ଆଲୋଚନା କରିବାକୁ ଅରାଜି ନାହୁଁ, ହେଲେ ସରକାରୀ ଦଳ ଗୃହ ଚଳାଇଲେ ତ ଯାହା ଆଲୋଚନା ହେବ ବୋଲି ସେ କହିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହ ବାହାରେ କହିଥିଲେ ଯେ ସରକାର ଗୃହ ଚଳାଇବାକୁ ଚାହୁଁ ନାହାନ୍ତି। ବିଜେଡ଼ି ସଭ୍ୟମାନେ ବିରୋଧୀଦଳର ଭୂମିକା ନେଉଛନ୍ତି। ଯଦି ସେମାନେ ବିରୋଧୀଙ୍କ ଆଚରଣ କରିବାକୁ ଚାହୁଁଛନ୍ତି ତେବେ ତାହା ସ୍ବାଗତଯୋଗ୍ୟ। ମମିତା ମେହେର ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ହତ୍ୟାକାଣ୍ଡରେ ରାଜ୍ୟର ଜଣେ ମନ୍ତ୍ରୀ ଜଡ଼ିତ ଅଛନ୍ତି। ଦୀର୍ଘଦିନ ଧରି ଚୁପ୍ ରିବା ପରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଣଡ ଖୋଲିଲେ। ସେତେବେଳେକୁ ସବୁ ପ୍ରମାଣ ନଷ୍ଟ ହୋଇସାରିଲାଣି। ଥରେ ପ୍ରମାଣ ନଷ୍ଟ ହେଲେ ଆଉ କେଉଁଠୁ ମିଳିବ। ଏହାକୁ ଯଦି ଉଚ୍ଚନ୍ୟାୟାଳୟର ଜଣେ ବିଚାରପତିଙ୍କ ତତ୍ବାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ଜରିଆରେ ତଦନ୍ତ କରାଯିବ ତେବେ ସତଟା କ’ଣ ତାହା ବାରିଯିବ।
ଶ୍ରୀ ମିଶ୍ର ଚାଷୀ ପ୍ରସଙ୍ଗ ନେଇ କହିଥିଲେ ଯେ ବର୍ତ୍ତମାନ ମମିତା ପ୍ରସଙ୍ଗ ପ୍ରଥମ ଚାଷୀ ପ୍ରସଙ୍ଗ ପଛ। ଏନସିଆରବି ତଥ୍ୟ ଅନୁଯାୟୀ ଦେଶରେ ନାରୀ ନିର୍ଯ୍ୟାତନାରେ ଉତ୍ତର ପ୍ରଦେଶ ପ୍ରଥମ ଏବଂ ଓଡ଼ିଶା ଦ୍ବିତୀୟ ସ୍ଥାନରେ ଥିଲେ ହେଁ ଜନସଂଖ୍ୟା ଦୃ‌ଷ୍ଟିରୁ ଓଡ଼ିଶା ଆଗରେ ରହିଛି। ମମିତା ମେହେର ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟରେ ନାରୀ ନିର୍ଯାତନା ବଢ଼ୁଛି। ଏତିକି ବେଳେ ମମିତା ମେହେର ପ୍ରସଙ୍ଗ ଗୃହରେ ଆଲୋଚନା ହେବା ଦରକାର। ଚାଷୀ ପ୍ରସଙ୍ଗ ଆଲୋଚନା କରିବାକୁ କିଏ ମନା କରିଛି, ଆମେ ଯଦି ସେ ପ୍ରସଙ୍ଗକୁ ଯିବୁ ସରକାରୀ ଦଳ ପୁଣି ଅନ୍ୟ ପ୍ରସଙ୍ଗକୁ ଯିବେ ନାହିଁ ତ ବୋଲି ପ୍ରଶ୍ନ କରିଥିଲେ। ଗୃହ ଚଳାଇବା ନେଇ ସେ ଗୃହର ନେତା, ମନ୍ତ୍ରୀ ଓ ବାଚସ୍ପତିଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ ସରକାର ଗଣତନ୍ତ୍ରକୁ ଧ୍ବଂସ କରିସାରିଲେଣି। ତାଙ୍କ ଇଙ୍ଗିତରେ ବିରୋଧୀଦଳ ଚଳାଇବାକୁ ଚାହୁଁଛନ୍ତି, ମାତ୍ର ତାହା ସମ୍ଭବ ନୁହେଁ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିଜେପିର ଦୋମୁହାଁ ନୀତି ବିଷୟରେ ପୂର୍ବରୁ କହିଥିଲି। ଗୋଟିଏ ପଟେ ଦଳର ନେତା ନୀତି ଆଦର୍ଶ କଥା କହୁଛନ୍ତି, ଅନ୍ୟପଟେ ଆସାମୀକୁ ଖସାଇବା ପାଇଁ ତାଙ୍କ ଚିନ୍ତାଧାରରେ ଅନୁପ୍ରାଣିତ ଲୋକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି। ଶାସକଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ରାଜ୍ୟରେ ଚାଷୀ, ଗ୍ୟାସଦର ବୃଦ୍ଧି, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଆଦି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି। ହେଲେ ବିରୋଧୀ ଜାଣିଶୁଣି ଗୃହ କାର୍ଯ୍ୟରେ ସହଯୋଗ କରୁନାହାନ୍ତି। ସବୁଠାରୁ ବଡ଼କଥା ହେଲା ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଥିଲା, ପ୍ରଥମାର୍ଦ୍ଧରେ ସର୍ବଦଳୀୟ ବୈଠକରେ ଆମେ ବିରୋଧୀଙ୍କୁ ଅନୁରୋଧ କରିଥିଲୁ ଯେ ଆଲୋଚନାରେ ଭାଗ ନିଅନ୍ତୁ। ମାତ୍ର ସେମାନେ ସହଯୋଗ କରୁ ନାହାନ୍ତି ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।

Spread the love