
ଡେସ୍କ: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ କହିଛନ୍ତି ଯେ ସେ ଓ ଅନ୍ୟ ବିଧାୟକମାନେ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁମ୍ବାଇରେ ପହଞ୍ଚିବେ। ଦଳ ମଧ୍ୟରେ ବିଦ୍ରୋହ ପରେ ଗୌହାଟୀର ଏକ ହୋଟେଲରେ ରହୁଥିବା ସିନ୍ଦେ ଏବଂ ଅନ୍ୟ ବିଧାୟକମାନେ ଆଜି ଦ୍ୱିତୀୟ ଥର ପାଇଁ କାମାକ୍ଷା ମନ୍ଦିର ପରିଦର୍ଶନ କରିଛନ୍ତି।ମହାରାଷ୍ଟ୍ର ରାଜ୍ୟପାଳ ଆସନ୍ତାକାଲି ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ପରେ ବିଦ୍ରୋହୀ ବିଧାୟକ ଗୁଲାବ୍ ରାଓ ପାଟିଲ କହିଛନ୍ତି ଯେ ଲୋକମାନେ ସେମାନଙ୍କ ସହ ଅଛନ୍ତି ଏବଂ ସେମାନେ ଆସନ୍ତାକାଲି ସଂଖ୍ୟାଗରିଷ୍ଠତା ପ୍ରମାଣରେ ଜିତିବେ। ତେଣୁ ଚିନ୍ତାର କୌଣସି ଆବଶ୍ୟକତା ନାହିଁ ବୋଲି ପାଟିଲ କହିଛନ୍ତି।
ସୂଚନାନୁସାରେ, ବିଦ୍ରୋହୀ ବିଧାୟକମାନେ ଆଜି ଗୋଆ ଅଭିମୁଖେ ଯିବେ ଯେଉଁଠାରୁ ସେମାନେ ଆସନ୍ତାକାଲି ଆସ୍ଥା ଭୋଟ୍ ପାଇଁ ମୁମ୍ବାଇ ଯିବେ। ସୂତ୍ରରୁ ପ୍ରକାଶ ଯେ ଗୋଆ ହୋଟେଲରେ ପ୍ରାୟ ୭୦ଟି ରୁମ ବୁକ୍ କରାଯାଇଛି। ଆଜି ଗୌହାଟୀରୁ ଗୋଆ ପର୍ଯ୍ୟନ୍ତ ସମସ୍ତ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ନେବା ପାଇଁ ଏକ ସ୍ପାଇସଜେଟ୍ ବିମାନ ବ୍ୟବସ୍ଥା କରାଯାଇଛି।
ଆଜି ପୂର୍ବାହ୍ନରେ ଏକନାଥ ସିନ୍ଦେ କାମାକ୍ଷା ମନ୍ଦିର ପରିଦର୍ଶନ କରି କହିଥିଲେ ଯେ ସଂଖ୍ୟାଗରିଷ୍ଠତା ପ୍ରମାଣକୁ ସାମ୍ନା କରିବାକୁ ତାଙ୍କ ଦଳ ପ୍ରସ୍ତୁତ ଅଛି। ମୁଁ ଆସନ୍ତାକାଲି ମୁମ୍ବାଇ ଫେରିଯିବି। ମୁଁ ମନ୍ଦିରରେ ମହାରାଷ୍ଟ୍ର ଲୋକଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲି।
ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନ ସକାଳ ୧୧ଟାରୁ ଆରମ୍ଭ ହେବ ଯାହାର ସିଧା ପ୍ରସାରଣ ମଧ୍ୟ କରାଯିବ। ଅନ୍ୟପକ୍ଷରେ ବହୁମତ ସାବ୍ୟସ୍ତ କରିବା ପାଇଁ ଶିବସେନା ମୁଖ୍ୟ ହ୍ୱିପ ସୁନୀଲ ପ୍ରଭୁଙ୍କ ଦ୍ୱାରା ରାଜ୍ୟପାଳ କୋଶାରିଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ମାମଲାର ଆଜି ସନ୍ଧ୍ୟା ୫ଟା ସମୟରେ ଶୁଣାଣି ହେବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍