
କପ୍ତିପଦା : ବାୟା ମାଙ୍କିଡ଼ିଆ। ମାଙ୍କିଡ଼ିଆ ଜନଜାତିର ପ୍ରଥମ ମାଟ୍ରିକ୍ୟୁଲେଟ୍। ଜନଜାତିର ଗର୍ବ ଓ ଗୌରବ। ପ୍ରଥମ ମ୍ୟାଟ୍ରିକ୍ୟୁଲେଟ୍ ଭାବେ ଗୌରବ ଆଣିବା ପରେ ଉପଜିଲ୍ଲାପାଳଙ୍କ ଦପ୍ତରଠାରୁ ଜିଲ୍ଲାପାଳ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏପରିକି ରାଷ୍ଟ୍ରପତିଙ୍କ ଦପ୍ତର ପର୍ଯ୍ୟନ୍ତ ସବୁଠି ବାୟା ବନିଗଲେ ଏକ ଚର୍ଚ୍ଚିତ ଚେହେରା। ଛୁଟିଲା ଶୁଭେଚ୍ଛାର ସୁଅ। ସବୁପ୍ରକାର ସାହାଯ୍ୟ ସହଯୋଗ ପାଇଁ ମିଳିଲା ସରକାରଙ୍କ ପ୍ରତିଶ୍ରୁତି। ଏହାକୁ ସତ ମଣି ବାୟା ଦେଖିଥିଲେ ଅନେକ ସ୍ବପ୍ନ। ଆହୁରି ପାଠ ପଢ଼ି ଆଗକୁ ବଢ଼ିବା ସହ ନିଜ ଜାତିର ଲୋକଙ୍କ ପାଇଁ କିଛି କରିବାର ଝୁଙ୍କ୍ ଉଠିଥିଲା। ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇଥିଲେ। ମାତ୍ର ପରିବାରର ଅଭାବ ଅନଟନ ସବୁ ସ୍ବପ୍ନକୁ ପୋଡ଼ିଦେଲା। ସରକାରଙ୍କ ସବୁ ପ୍ରତିଶ୍ରୁତି ବି ପାଣିର ଗାର ସଦୃଶ ମିଳାଇଗଲା। ଏବେ ପେଟ ପୋଷିବାକୁ ସଂଘର୍ଷ କରୁଛନ୍ତି ସେଦିନର ଚର୍ଚ୍ଚିତ ଚେହେରା ବାୟା। କେବେ ମଜୁରୀ ଖଟୁଛନ୍ତି ତ କେବେ ଜଙ୍ଗଲରେ କଟୁଛି ସମୟ।
୨୦୧୦ ମସିହାରେ ଏହି ଜନଜାତିର ପ୍ରଥମ ମ୍ୟାଟ୍ରିକ୍ୟୁଲେଟ୍ ଭାବେ କୃତକାର୍ଯ୍ୟ ହେବାପରେ ରାଜ୍ୟ ଓ ଜାତୀୟସ୍ତରରେ ଗଣମାଧ୍ୟମର ପୃଷ୍ଠା ମଣ୍ତନ କରିଥିଲା ବାୟା। ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ମଧ୍ୟ ଏଥିପାଇଁ ଜିଲ୍ଲାପାଳଙ୍କ ଜରିଆରେ ପଠାଇଥିଲେ ପ୍ରଶଂସାପତ୍ର। ଏହି ପ୍ରଶଂସା ପତ୍ର ପ୍ରଦାନ ପାଇଁ ଗାଁରେ ଅନୁଷ୍ଠିତ ହୋଇଥିବା ଏକ ସ୍ବତନ୍ତ୍ର ଉତ୍ସବରେ ତତ୍କାଳୀନ ଜିଲ୍ଲାପାଳ ଆଶ୍ବତୀ ଏସ୍, ଉପଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ତାରେ, ସର୍ବଶିକ୍ଷା ଅଭିଯାନ ମୟୂରଭଂଜ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ବର, ଆକ୍ସନ୍ଏଡ଼୍ ଭୁବନେଶ୍ବର, ଆଇଟିଡ଼ିଏ ଉଦଳା, ଉପଜିଲ୍ଲାପାଳ କପ୍ତିପଦା, ଉଦଳା ମହୋତ୍ସବ, ମେଘାସନ ମହାବିଦ୍ୟାଳୟ, ନୁଦଡ଼ିହା ଏଭଳି ବହୁ ବ୍ୟକ୍ତି ଓ ଅନୁଷ୍ଠାନରୁ ପାଇଥିଲେ ସମ୍ମାନ ଓ ସମ୍ବର୍ଦ୍ଧନା। ବାୟା ମ୍ୟାଟ୍ରିକ୍ୟୁଲେଟ୍ ହେବାବେଳକୁ ତାଙ୍କର ବିବାହ ହୋଇସାରିଥିଲା। ତଥାପି ସେ ପରିବାର ବୋଝକୁ ମୁଣ୍ଡେଇ ଅଧିକ ପାଠପଢ଼ିବାକୁ ଲକ୍ଷ୍ୟ ରଖି ୨୦୧୨ ମସିହାରେ ମେଘାସନ ମହାବିଦ୍ୟାଳୟରୁ ଯୁକ୍ତ ୨ରେ ପାସ୍ କଲେ। ସେହିବର୍ଷ ଯୁକ୍ତ ୩ ରାଜନୀତି ବିଜ୍ଞାନ (ସମ୍ମାନ)ରେ ନାମ ଲେଖାଇଥିଲେ।
ସଂଘର୍ଷ ଭିତରେ ପାଠପଢ଼ା ଚାଲିଥିବା ବେଳେ ବନ୍ଦ ହୋଇଗଲା ପ୍ରଶାସନ ପକ୍ଷରୁ ମିଳୁଥିବା ମାସିକ ଏକ ହଜାର ଟଙ୍କା ସହାୟତା। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏଥିପାଇଁ ଗୁହାରୀ କଲେ ବି କିଛି ସୁଫଳ ମିଳିନଥିଲା। ମାଆ ଫାଗୁନ୍, ସ୍ତ୍ରୀ ମିରୁ, ଝିଅ ଲକ୍ଷ୍ମୀ, ପୁଅ ରାଜେଶ ଏବଂ ସଭା ସାନଝିଅର ଭୋକିଲା ମୁହଁକୁ ଚାହିଁ ପାଠପଢ଼ା ବନ୍ଦ କରି ଦିନ ମଜୁରିଆ ଭାବେ କାମ ଆରମ୍ଭ କଲେ ବାୟା। କେତେବେଳେ ବିଲକୁ ତ କେତେବେଳେ ଶିଆଳି ଲତା ଗୋଟାଇବା ପାଇଁ ବଣକୁ ଗଲେ। ଅଭାବ, ଅନଟନ ପାଇଁ ପାଠପଢ଼ା, ପ୍ରଶଂସା ପତ୍ର, ସ୍ବପ୍ନ ସବୁ ପଛରେ ରହିଗଲା। ପ୍ରଶାସନର ଅଣଦେଖା ପାଇଁ ଆଜି ମାଙ୍କିଡ଼ିଆ ଜାତିର ପ୍ରଥମ ମ୍ୟାଟ୍ରିକ୍ୟୁଲେଟ୍ ବାୟା ଦିନ ମଜୁରିଆ ପାଲଟିଯାଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍