December 26, 2025

ମୃତକଙ୍କୁ ଇଏ କେମିତିକା ସମ୍ମାନ? ବାଲେଶ୍ବର ବଡ଼ ଡାକ୍ତରଖାନାରେ ୧୫ ଦିନ ହେଲା ପଚୁଛି ଶବ

 

ବାଲେଶ୍ବର : ଅଚିହ୍ନା ଶବ ସତ୍କାର କାହାର ଦାୟିତ୍ବ? ଡାକ୍ତରଖାନା କର୍ତ୍ତୃପକ୍ଷଙ୍କର, ପୌରପାଳିକାର ନା ପୁଲିସର? ଏହି ପ୍ରଶ୍ନକୁ ନେଇ ପରସ୍ପର ଦୋଷ ଠେଲାଠେଲିରେ ବଳି ପଡ଼ିଛନ୍ତି ୫ଟି ଅପରିଚିତ ନିଷ୍ପ୍ରାଣ ଶରୀର। ସଂରକ୍ଷଣ ଗୃହରେ ରଖିବାକୁ ଜାଗା ନାହିଁ ବୋଲି ପୋଷ୍ଟମର୍ଟମ୍‌ କେନ୍ଦ୍ର ପାଖ କୋଠରୀରେ ଥାକ ମାରି ଗଦେଇ ଦିଆଯାଇଛି ଗୋଟି କରି ଗୋଟି କରି ୫ଟି ମୃତଦେହ। ଜୀବଦଶାରେ ନ ହେଲା ନାହିଁ ପଛେ, ମୃତ୍ୟୁ ପରେ ତ ଶବକୁ ସମ୍ମାନ ମିଳିବା କଥା। ହେଲେ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଶବ ଉପରେ ଶବ ପଡ଼ିରହିବାର ଦୃଶ୍ୟ ଯେ କୌଣସି ଲୋକର ମନକୁ ବିଚଳିତ କରିଦେବା ପାଇଁ ଯଥେଷ୍ଟ।

ସ୍ଥିତି ଏମିତି ଯେ ନାକଫଟା ଦୁର୍ଗନ୍ଧରେ ବର୍ତ୍ତମାନ ଚିକିତ୍ସାଳୟ ପରିସରରେ କ୍ଷଣିକ ରହିବା ମଧ୍ୟ କାଠିକର ପାଠ। ସେପଟେ ଶବ ସତ୍କାର କିଏ କରିବ, ଦାୟିତ୍ବ କାହାର, ସେ ଭିଡ଼ାଓଟରା ଭିତରେ ଗଡ଼ିଗଲାଣି ୧୫ ଦିନ ସମୟ। ସମସ୍ତେ ଜାଣି ମଧ୍ୟ ଚୁପ୍। ଏଭଳି ପରିସ୍ଥିତିରେ ଡାକ୍ତରଖାନା ଫାଣ୍ଡି ଅଧିକାରୀ ବିଜୟ ନାୟକ କହିଛନ୍ତି, ବାଲେଶ୍ବର ମେଡିକାଲ କଲେଜ ହସ୍‌ପିଟାଲ ହେବା ପରେ ଅଚିହ୍ନା ଶବସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ୫ଟି ଶବ ସଂସ୍କାର ପାଇଁ ଅତିକମ୍‌ରେ ୧୫ ହଜାର ଯାଏ ଖର୍ଚ୍ଚ ହେଉଛି। ହସ୍‌ପିଟାଲ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ଟାଉନ ଥାନା ପର୍ଯ୍ୟନ୍ତ ସମସ୍ତଙ୍କୁ କହିସାରିଲିଣି। ଅନ୍ୟପକ୍ଷରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପଚାରିବାରୁ ଘଟଣା ସଂପର୍କରେ ବୁଝି ଏହାର ସମାଧାନ ଦିଗରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

Spread the love