
ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଏଲଆଇସି ଏଜେଣ୍ଟଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା। ଗିରଫ ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲା କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ସେ ୪ ଜଣ ମୃତବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି କରି ୧ କୋଟି ୧୮ ଲକ୍ଷ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ତାଙ୍କୁ ଗିରଫ କରାଯାଇ ଖୋର୍ଦ୍ଧା ଏସଡିଜେଏମ କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ଅଭିଯୁକ୍ତ କବିରାଜ ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଠକେଇ କରିଛନ୍ତି । ଚଞ୍ଚକତା କରି ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସେ ୨୩ଟି ବୀମା କରିଥିଲେ । ପଲିସିଗୁଡ଼ିକୁ ୨-୫ ବର୍ଷ ଯାଏ ସଚଳ ରଖି ପ୍ରିମିୟମ ମଧ୍ୟ ଭରୁଥିଲେ । ଏହାପରେ ମିଛ ମୃତ୍ୟୁ ପ୍ରମାଣପତ୍ର ଦେଇ ବୀମା ରାଶି ପାଇଁ ଦାବି କରିଥିଲେ। ୫ଟି ପଲିସି ଉପରେ ଡେଥ୍ କ୍ଲେମ୍ ଦ୍ୱାରା ଏଲଆଇସି ୧ କୋଟି ୧୮ ଲକ୍ଷ ଟଙ୍କା ଦେଇଛି । ଏନେଇ ଅର୍ଥନୈତିକ ଅପରାଧ ଶାଖାରେ ଖୋର୍ଦ୍ଧା ଏଲଆଇସି ଶାଖା ପକ୍ଷରୁ ଅଭିଯୋଗ ହୋଇଥିଲା । ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଆହୁରି ଏକାଧିକ ମୃତକଙ୍କ ନକଲି ବୀମା କରି କୋଟି କୋଟି ଟଙ୍କା ହଡ଼ପ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । କବିରାଜଙ୍କ ଘରେ ଚଢାଉ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ନୋମିନି ଏବଂ ଏକାଧିକ ଲୋକଙ୍କ ଜାଲ୍ ପ୍ରମାଣପତ୍ର ମିଳିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍