October 18, 2024

Satya News

odia news channel

ମୋଦୀଙ୍କୁ ଆଜାଦଙ୍କ ପ୍ରଶଂସା ; ‘ରାହୁଲ ରାଜନୀତି ପ୍ରତି ଆଗ୍ରହୀ ନୁହନ୍ତି’

 

ନୂଆଦିଲ୍ଲୀ : ଗତ ସପ୍ତାହରେ କଂଗ୍ରେସ ଛାଡିଥିବା ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କାଳରେ ଆଜାଦ କହିଛନ୍ତି ଯେ ମୋଦୀ ଏକପ୍ରକାର ଅବିବାହିତ ଜୀବନ ବିତାଇ ଆସୁଛନ୍ତି। ତାଙ୍କର ସନ୍ତାନ ନାହାନ୍ତି। ମାତ୍ର ସେ ଯେଉଁ ମାନବିକତା ଦେଖାଇଛନ୍ତି ତାହା ପ୍ରଶଂସନୀୟ। ଗୁଜରାଟ ପର୍ଯ୍ୟଟକଙ୍କୁ କାଶ୍ମୀରରେ ଆତଙ୍କବାଦୀମାନେ ଅପହରଣ କରିବା ସମୟରେ ଗୁଲାମ ନବୀ ଯେଉଁ ସାହାଯ୍ୟ କରିଥିଲେ ତାକୁ ମୋଦୀ ସଂସଦରେ ଉପସ୍ଥାପନ କରିଥିଲେ। ଏଥିପାଇଁ ଗୁଲାମ ନବୀଙ୍କୁ ମୋଦୀ ପ୍ରଶଂସା କରିଥିଲେ।
କଂଗ୍ରେସ ଛାଡିବା ପରେ ଦଳ ପକ୍ଷରୁ ତାଙ୍କୁ କରାଯାଉଥିବା ସମାଲୋଚନା ଉପରେ ଜବାବ ଦେଇଛନ୍ତି ଆଜାଦ। ଆଜାଦ କହିଛନ୍ତି ଯେ କଂଗ୍ରେସ ଦଳ ଏବେ ଅଜ୍ଞାନୀଙ୍କ ପେଣ୍ଠ ହୋଇଛି। ସେ କହିଛନ୍ତି ଯେ କଂଗ୍ରେସ ଛାଡିବାକୁ ସେ ଏକପ୍ରକାର ବାଧ୍ୟ ହୋଇଥିଲେ। ଜି-୨୩ ନେତାଙ୍କ ମଧ୍ୟରେ ତାଙ୍କର ଭୂମିକାକୁ ନେଇ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଆସୁଥିଲା। କଂଗ୍ରେସର ତୋଷାମଦିଆମାନେ ତାଙ୍କୁ ଟାର୍ଗେଟ କରିଆସୁଥିଲେ। ତାଙ୍କ ଡିଏନଏ ମୋଦୀମୟ ହୋଇଥିବା ଓ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି ତାହା ଭୁଲ୍‌। କାରଣ ଜାମ୍ମୁ-କାଶ୍ମୀରରେ ସେ ବିଜେପି ପାଇଁ ଗୋଟିଏ ଭୋଟ ଯୋଗାଡ କରିପାରିବେ ନାହିଁ। ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଆଜାଦ କହିଛନ୍ତି ଯେ କଂଗ୍ରେସର ଏହି ନେତା ରାଜନୀତି ପ୍ରତି ଆଗ୍ରହୀ ନୁହନ୍ତି। ଦଳର ନେତା ରାହୁଲଙ୍କ ରାଜନୀତି ଶିଖାଇବାକୁ ଚେଷ୍ଠା କରୁଥିବାବେଳେ ସେ ଏହାକୁ ଶିଖିପାରୁ ନାହାନ୍ତି। କାରଣ ସେ ରାଜନୀତି ପ୍ରତି ଆଗ୍ରହୀ ନୁହନ୍ତି। ରାହୁଲ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରିଥିଲେ। ୨୦୨୦ରେ ଦଳରେ ସଂସ୍କାର ନିମନ୍ତେ ଜି-୨୩ ନେତାମାନେ ଚିଠି ଲେଖିଥିଲେ। ମାତ୍ର ଦଳ ଏହାକୁ ଗୁରୁତ୍ବ ଦେଇ ନାହଁି। ସେ କହିଛନ୍ତି ଯେ କଂଗ୍ରେସ ଏପରି ସ୍ଥାନରେ ପହଞ୍ଚିଗଲାଣି ଯେ ଏହା ଆଉ ପଛକୁ ଫେରିବାର ନାହଁି। ଜାତୀୟସ୍ତରରେ କଂଗ୍ରେସ ଏହାର ସ୍ଥାନ ବିଜେପିକୁ ଛାଡିଦେଇଥିବାବେଳେ ରାଜ୍ୟସ୍ତରରେ ଏହାର ସ୍ଥାନ ଆଞ୍ଚଳିକ ଦଳଗୁଡିକୁ ଛାଡି ଦେଇଛି। ଗତ ୮ବର୍ଷ ହେଲା ଦଳର ଦୁର୍ବଳ ନେତୃତ୍ବ ଯୋଗୁଁ ଏପରି ଘଟିଛି ବୋଲି ଆଜାଦ କହିଛନ୍ତି।

Spread the love