October 22, 2025

ରଥଯାତ୍ରା କଟକଣା ଭାଙ୍ଗି ଦର୍ଶନ: ଠିକାଦାର ସମେତ ୫ ଜଣଙ୍କ ନାଁରେ ମାମଲା

 

ପୁରୀ : ରଥଯାତ୍ରାରେ କର୍ଫ୍ୟୁ କଟକଣା ଭାଙ୍ଗିବା ଅନେକଙ୍କୁ ମହଙ୍ଗା ପଡ଼ିଛି। ପୁରୀ ଜିଲ୍ଲା ପୁଲିସ ଏମାନଙ୍କ ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଛି। କଟକଣା ଭାଙ୍ଗି ରଥଯାତ୍ରା ଦର୍ଶନ ପାଇଁ ପ୍ରଥମ ଦଫାରେ ପୁରୀ ପୁଲିସ ୯ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଆଜି ଆଉ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଯେଉଁଥିରେ ଜଣେ ଠିକାଦାର, ବଡ଼ଦାଣ୍ଡର ଏକ ରେସ୍ତୋରାଁ ମାଲିକ ବି ରହିଛନ୍ତି। ୫ ଜଣ ହେଲେ ସନ୍ତୋଷ କୁମାର ପାତ୍ର, ଅଙ୍କିତ ପଟୁଆରି, ଗୋପୀନାଥ ସାହୁ, ପ୍ରସନ୍ନ ମହାପାତ୍ର ଓ ବିବିନ ଆଚାର୍ଯ୍ୟ। ଏମାନେ ସମସ୍ତେ ପୁରୀ ସହରର ବୋଲି ପୁଲିସ ସ୍ପଷ୍ଟ କରିଛି।

ଏ ସଂପର୍କରେ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ କହିଛନ୍ତି ଯେ ରଥଯାତ୍ରା‌ ସମୟରେ ଯେଉଁମାନେ କର୍ଫ୍ୟୁ ନିୟମ ଭାଙ୍ଗିଛନ୍ତି, ପୁଲିସ ସେମାନଙ୍କ ବିରୋଧରେ ‘ଜିରୋ ଟଲେରାନ୍ସ’ ନିୟମ ଅବଲମ୍ବନ କରୁଛି। ଯେ କେହି ବି ନିୟମ ଭାଙ୍ଗିଥିବେ ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। କଠୋରରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ ପୁରୀବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା, ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୯ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ପୁଣି ୫ଜଣଙ୍କ ନାମରେ ମାମଲା ରୁଜୁ ହେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡ. ସିଂହ କହିଛନ୍ତି। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି। ସିସିଟିଭି ଫୁଟେଜ୍‌ ତନ୍ନ ତନ୍ନ କରି ଦେଖାଯାଉଛି। ଯେଉଁମାନେ ଏଥିରେ ଧରାପଡ଼ିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡ. ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ରଥଯାତ୍ରାରେ କର୍ଫ୍ୟୁ ନିୟମ ଭାଙ୍ଗିବା ଅଭିଯୋଗରେ ଗତକାଲି ଦୁଇ ଅଣଓଡ଼ିଆଙ୍କ ସମେତ ୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ପୁଲିସ। ଏମାନେ ହେଲେ ହରିୟାଣା କୁରୁକ୍ଷେତ୍ରର ଗୋବିନ୍ଦକୃଷ୍ଣ ଦାସ ଓ ଅତୁଲ କୃଷ୍ଣ, ପୁରୀର କପ ସାହୁ, ପିଡବ୍ଲୁଡି କଲୋନିର ସୁବ୍ରତ ପଣ୍ଡା, ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଭବାନୀ ଜେନା, ରେଲ୍‌ୱେ ‌କଲୋନିର ମନୋରଂଜନ ମିଶ୍ର, ରାଜଦୀପ ହରିଚନ୍ଦନ, ରଘୁନାଥ ସରାଫ ଓ ବିଶ୍ବନାଥ ସାହୁ।

Spread the love