July 12, 2025

ରାଜ୍ୟରେ ୩୦ରୁ ବଢ଼ିବ ବର୍ଷା

 

ଭୁବନେଶ୍ବର : ଆଜି ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଖୁବ୍‌ କମ୍‌ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବ‌େ ୩୦ତାରିଖ ଦିନ କିନ୍ତୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେ ଦିନ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ସେହିଭଳି ଜୁଲାଇ ପହିଲାରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ, ମାଲକାନଗିରି, କଟକ, ନୟାଗଡ଼, ଖୋର୍ଧା, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା। ଏସବୁ ଜିଲ୍ଲା ସମେତ ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାର କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏଥିସହ ଜୁଲାଇ ୨ ତାରିଖରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ରର ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ୍‌ରେ ସର୍ବାଧିକ ୧୨୪.୨ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ବାଲେଶ୍ବର ଜିଲ୍ଲା ନୀଳଗିରିରେ ୭୫ ମିମି, କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ୪୯ମିମି ଓ ମୟୂରଭଞ୍ଜର ବାରିପଦାଠାରେ ୪୬.୨ମିମି ବର୍ଷା ହୋଇଛି। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ମେଘୁଆ ରହିବା ସହ ସ୍ବଳ୍ପବର୍ଷା ହୋଇପାରେ। ରାଜଧାନୀର ସର୍ବାଧିକ ତାପମାତ୍ରା ୩୩ଡିଗ୍ରି ଭିତରେ ରହିବା ସହ ସର୍ବନିମ୍ନ ତାପମାତ୍ରା ୨୫ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର କହିଛି।

Spread the love