September 16, 2025

ରାଷ୍ଟ୍ରଦ୍ରୋହ ମାମଲାରେ ଲକ୍ଷାଦ୍ବୀପ ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ଆଗୁଆ ଜାମିନ ଦେଲେ କେରଳ ହାଇକୋର୍ଟ

 

ତିରୁଅନନ୍ତପୁରମ୍: ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥିବା ଲକ୍ଷାଦ୍ବୀପ ଅଭିନେତ୍ରୀ ଐଶା ସୁଲ୍‌ତାନାଙ୍କୁ ଶୁକ୍ରବାର ଦିନ କେରଳ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି।

ତାଙ୍କ ବିରୋଧରେ ‘ଆଇପିସି’ ଧାରା ୧୨୪ଏ ଏବଂ ୧୨୪ବି ଅଧୀନରେ ରୁଜୁ ହୋଇଥିବା ‘ଏଫ୍‌ଆଇଆର୍‌’ ବିପକ୍ଷରେ ଲକ୍ଷାଦ୍ବୀପ ଚଳଚ୍ଚିତ୍ର ନିର୍ମାତା ଐଶା ସୁଲ୍‌ତାନା ଫାଇଲ୍‌ କରିଥିବା ଜାମିନ ଆବେଦନକୁ ବିଚାରପତି ଅଶୋକ ମେନନ୍ ମଞ୍ଜୁର କରିଛନ୍ତି।

ଲକ୍ଷାଦ୍ବୀପବାସୀଙ୍କ ପାଇଁ କେନ୍ଦ୍ର ସରକାର କୋଭିଡ୍‌-୧୯କୁ ‌‘ଜୈବାସ୍ତ୍ର’ ଭାବେ ମୁତୟନ କରିଛନ୍ତି ବୋଲି ଗଣମାଧ୍ୟମ ଚାନେଲ୍‌ରେ ମନ୍ତବ୍ୟ ଦେବାରୁ ସୁଲ୍‌ତାନାଙ୍କୁ ବୁକ୍‌କରାଯାଇଥିଲା। ସେହି ଅନୁସାରେ, ଜୁନ୍‌ ୨୦ ତାରିଖ ଦିନ କବରତ୍ତି ଥାନାରେ ହାଜର ହେବା ଲାଗି ତାଙ୍କୁ ନିର୍ଦେଶ ଦିଆଯାଇଥିଲା। ସେଥିପାଇଁ, ସେ ଆଗୁଆ ଜାମିନ ଲାଗି ଆବେଦନ କରିଥିଲେ।

ସୂଚନାଯୋଗ୍ୟ, ଜୁନ୍‌ ୧୭ ତାରିଖ ଦିନ ଜଣିକିଆ ଖଣ୍ଡପୀଠ ଐଶାଙ୍କୁ ସପ୍ତାହକ ପାଇଁ ଅସ୍ଥାୟୀ ମଧ୍ୟବର୍ତ୍ତୀକାଳିନ ଜାମିନ ମଞ୍ଜୁର କରିଥିଲେ। ଏହାଛଡ଼ା, ପଚରାଉଚୁରା ସମୟରେ ଥାନାକୁ ସେ ଓକିଲ ନେଇ ଯାଇପାରିବେ ବୋଲି ଖଣ୍ଡପୀଠ ଅନୁମତି ପ୍ରଦାନ କରିଥିଲେ।

Spread the love