
ରେଙ୍ଗାଳି : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳିରେ ଥିବା ଜଳବିଦ୍ୟୁତ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଛି। ଓଡ଼ିଶା ଜଳ ବିଦ୍ୟୁତ ନିଗମ(ଓଏଚପିସି) ଦ୍ବାରା ପରିଚାଳିତ ଏହି ପ୍ରକଳ୍ପର ୪ ନମ୍ବର ୟୁନିଟ୍ରେ ଯାନ୍ତ୍ରିକ ତ୍ରୁଟିରୁ ଏହା ଅଚଳ ହୋଇଯିବାପରେ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ୪ଟି ୟୁନିଟ୍କୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଫଳରେ ଏହି ୨୫୦ ମେଗାୱାଟ୍ ବିଶିଷ୍ଟ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପରୁ ଦୁଇ ଦିନ ହେଲା ବିଦ୍ୟୁତ ଉତ୍ପାଦନ ହୋଇପାରିନାହିଁ। ଏପଟେ ଅଚଳ ୟୁନିଟର ମରାମତି ପାଇଁ ଓଏଚ୍ପିସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ରେଙ୍ଗାଳି ଜଳ ବିଦ୍ୟୁତ୍ ପ୍ରକଳ୍ପର ୪ ନମ୍ବର ୟୁନିଟ୍ରେ ପୂର୍ବରୁ କିଛି ଯାନ୍ତ୍ରିକ ତ୍ରୁଟି ରହିଥିଲା। କିନ୍ତୁ ମରାମତି ପରେ ଏହା ପୁଣି କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ଗତ ୨୬ ତାରିଖ ମଧ୍ୟାହ୍ନରେ ପାୱାର ହାଉସ୍ର ଟର୍ବାଇନ ଚାଲୁଥିବା ବେଳେ ହଠାତ୍ ୪ ନମ୍ବର ୟୁନିଟ୍ର ଭାକ୍ୟୁମ ବ୍ରେକର ଭାଲବ ଅଚଳ ହୋଇପଡ଼ିଥିଲା। ଏହାଦ୍ୱାରା ନଦୀର ତଳପାଖ ଠେଲା ପାଣି ଟର୍ବାଇନ ଭିତରକୁ ପ୍ରବେଶ କରି ଟର୍ବାଇନ ପାଣିରେ ବୁଡିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଗୋଟିଏ ୟୁନିଟ୍ ପାଣିରେ ବୁଡିଯିବା ପରେ ପ୍ରକଳ୍ପର ନିରାପତ୍ତା ଦୃଷ୍ଟିରୁ ସମସ୍ତ ୫ଟି ୟୁନିଟ୍କୁ ବନ୍ଦ କରି ଦିଆଯାଇଛି। ଫଳରେ ଗତକାଲିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି। ଏପଟେ ଅଚଳ ୟୁନିଟର ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମଧ୍ୟାହ୍ନରେ ଭୁବନେଶ୍ବର କର୍ପୋରେଟ୍ ଅଫିସ୍ର ନିର୍ଦେଶକ (ଅପରେସନ) ଇଂ ମନୋରଞ୍ଜନ ବିଶ୍ବାଳ, ବରିଷ୍ଠ ସାଧାରଣ ପରିଚାଳକ ଇଂ ସୁବାସ ପାତ୍ର ଓ ଅନ୍ୟ ଅଧିକାରୀମାନେ ପ୍ରକଳ୍ପ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭ୍ୟାକ୍ୟୁମ୍ ବ୍ରେକର ଭାଲବକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଶ୍ରୀ ବିଶ୍ବାଳ ନିର୍ଦେଶ ଦେଇଛନ୍ତି। ଓଏଚପିସିର ବରିଷ୍ଠ ସାଧାରଣ ପରିଚାଳକ ଇଂ ସୁବାସ ପାତ୍ର କହିଛନ୍ତି ଯେ ପ୍ରକଳ୍ପ ଅନ୍ତର୍ଗତ ୪ ନମ୍ବର ୟୁନିଟ୍ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିକଟରେ ଶେଷ ହୋଇଥିଲା। କିନ୍ତୁ ଗତକାଲି ଭାକ୍ୟୁମ ବ୍ରେକର ଭାଲବର ସ୍ପ୍ରିଂ ସେଟ୍ ହଠାତ୍ ଅଚଳ ହୋଇପଡ଼ିବାରୁ ଟର୍ବାଇନ ମଧ୍ୟକୁ ପାଣି ପ୍ରବେଶ କରିଥିଲା। ଫଳରେ ପାୱାର୍ ହାଉସ୍ର ସୁରକ୍ଷା ଦୃଷ୍ଟିରୁ ପାଞ୍ଚଟି ଯାକ ୟୁନିଟ୍କୁ ବନ୍ଦ ରଖାଯାଇଛି। ପ୍ରକଳ୍ପ ବନ୍ଦ ଥିବାରୁ ଦୈନିକ ହାରାହାରି ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ବହାନି ହେଉଛି। ଉକ୍ତ ଭାଲ୍ବକୁ ଦୁଇ ଦିନ ମଧ୍ୟରେ ଲଗାଇବା ସହିତ ବିଦ୍ୟୁତ୍ ଉତ୍ପାଦନ ପୁଣି ଆରମ୍ଭ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍