
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି । ଏହି ଦ୍ୱିତୀୟ ସଂସ୍କରଣ ପ୍ରତିଯୋଗିତାକୁ ଲୋକାର୍ପଣ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ, ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ‘ଆନନ୍ଦ ବଜାର’ ହେଉଛି ବିଶ୍ୱର ସବୁଠୁ ବଡ଼ ହାଣ୍ଡିଶାଳ । ଆଉ ଆମର ମହାନ୍ ଉତ୍କଳୀୟ ସଂସ୍କୃତିରେ ୧୨ମାସରେ ୧୩ ପର୍ବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି । ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା ।
ଓଡ଼ିଆ ଖାଦ୍ୟର ପ୍ରସାର ଓ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାର ସିଜିନ-୨ କାର୍ଯ୍ୟକ୍ରମକୁ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଉଛି । ଏହି ଅବସରରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ, ଗତବର୍ଷ କରୋନା ମହାମାରୀ ଯୋଗୁଁ ଲୋକମାନେ ଘରୁ ପଦାକୁ ଆସି ପାରୁ ନଥିବାବେଳେ ଗୃହିଣୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଓଟିଡିସି ପକ୍ଷରୁ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ହୋଇଥିଲା, ଯାହା ବେଶ ଆଦୃତ ହୋଇପାରିଥିଲା।ଓଡ଼ିଆ ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର ପାଇଁ ଏହି ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରାଯାଉଛି । ପ୍ରତିଯୋଗିତାର ସର୍ତ୍ତାବଳୀ ଗତବର୍ଷ ଯାହା ଥିଲା ଚଳିତବର୍ଷ ସମାନ ରହିଛି । ମାତ୍ର ଏଥର ସାମାନ୍ୟ ଟିକେ ପରିବର୍ତ୍ତନ ହୋଇଛି। ବିଚାରକଙ୍କ ଦ୍ଵାରା ଚୟନିତ ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଏଥର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେଇ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀର ସୁଟିଂ କରାଯିବ। ଯାହାର ସିଧାସଳଖ ପ୍ରସାରଣ ଟିଭି ଚ୍ୟାନେଲ ମାଧ୍ୟମରେ ଦର୍ଶକ ଦେଖିପାରିବେ ।
ନିଜର ଖାଦ୍ୟ ଭିଡିଓ ପ୍ରସ୍ତୁତ କରି ମହିଳାମାନେ ଅନଲାଇନରେ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମ ସିଜନର ବିଜୟିନୀ ଦେବଯାନୀ ଦାସ ମଧ୍ୟ ଏହି ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍