July 12, 2025

ଶକ୍ତିଶାଳୀ ଭୂମିକମ୍ପ : ଆଫଗାନିସ୍ତାନରେ ୧୦୦୦ ମୃତ, ୧୫୦୦ ଆହତ

 

କାବୁଲ : ଆଫଗାନିସ୍ତାନର ପୂର୍ବାଞ୍ଚଳ ପାକ୍‌ଟିକା ପ୍ରଦେଶରେ ବୁଧବାର ଭୋର୍‌ ସମୟରେ ଅନୁଭୂତ ଭୟଙ୍କର ଭୂକମ୍ପରେ ଏକ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି ଓ ପାଖାପାଖି ୧୫୦୦ ଆହତ ହୋଇଛନ୍ତି। ଏହି ଭୂକମ୍ପରେ ପାକିସ୍ତାନ ସୀମାନ୍ତ ପାକ୍‌ଟିକା ପ୍ରଦେଶ ଛାରଖାର ହୋଇଯାଇଛି। କେବଳ ପାକ୍‌ଟିକା ସହରରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏବେ ସୁଦ୍ଧା ବହୁ ଲୋକ ଓ ଜୀବଜନ୍ତୁ ଭଗ୍ନସ୍ତୂପ ତଳେ ଚାପିହୋଇ ରହିଥିବାବେଳେ ସ୍ଥାନୀୟ ଜନତା ଓ ଆଫଗାନ୍‌ ରେଡ୍‌ କ୍ରିସେଣ୍ଟ ସୋସାଇଟି ସ୍ବେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ସୋସାଇଟି ପକ୍ଷରୁ ଦୁର୍ଗତଙ୍କୁ ଜରୁରୀକାଳୀନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଦେଶର ବିପର୍ଯ୍ୟୟ ପରିଚାଳନା ବିଭାଗ ରାଷ୍ଟ୍ରମନ୍ତ୍ରୀ ମାୱାଲାୱି ଶରାଫୁଦ୍ଦିନ ମୁସଲିମ୍‌ଙ୍କ ସୂଚନାନୁଯାୟୀ, ଭୂକମ୍ପର ମାତ୍ରା ୬.୧ ଥିଲା ଓ ଏହାର କେନ୍ଦ୍ରସ୍ଥଳ ଦେଶର ଦକ୍ଷିଣ-ପଶ୍ଚିମାଞ୍ଚଳ ସହର ଖୋସ୍ତଠାରୁ ୪୪କିଲୋମିଟର ଦୂରରେ ଏବଂ ଏହି ଅଞ୍ଚଳ ଭୂକମ୍ପ ପ୍ରବଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଭୂକମ୍ପ ଦୁର୍ଗତଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଥିବା ଦର୍ଶାଇ ସେ ସହାୟତା ପାଇଁ ଆନ୍ତର୍ଜାତିକ ସମୁଦାୟଙ୍କୁ ନିବେଦନ କରିଛନ୍ତି। ତାଲିବାନ ଶାସକ ପ୍ରତି ମୃତକଙ୍କ ପିଛା ୧ଲକ୍ଷ ଆଫଗାନିସ୍‌ ବା ୧୧୧୭ ଡଲାର ଓ ଆହତଙ୍କ ପିଛା ୫୦ହଜାର ଆଫଗାନିସ୍‌ ବା ୫୫୮ ଡଲାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖୁନ୍ଦ ଜରୁରୀକାଳୀନ ବୈଠକ ଡକାଇ ପରିସ୍ଥିତି ସମୀକ୍ଷା କରିଛନ୍ତି। ତେବେ ତାଲିବାନ ଶାସକଙ୍କ ଅନଭିଜ୍ଞତା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। କମ୍ପନର ପ୍ରଭାବ ପ୍ରାୟ ୫୦୦କିଲୋମିଟର
ଅଞ୍ଚଳ ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ରାଜଧାନୀ କାବୁଲ ଓ ପାକିସ୍ତାନ ତଥା ଏହାର ରାଜଧାନୀ ଇସ୍‌ଲାମାବାଦରେ ମଧ୍ୟ ଅନୁଭୂତ ହୋଇଛି। ଭାରତର ଜାମ୍ମୁ-କାଶ୍ମୀରରେ ମଧ୍ୟ ଏହାର ସାମାନ୍ୟ ପ୍ରଭାବ ପଡ଼ିଥିବା ସୂଚନା ମିଳିଛି। ଚଳିତ ବର୍ଷ ଜାନୁଆରୀରେ ଆଫଗାନିସ୍ତାନର ହେରାତ୍‌ ଅଞ୍ଚଳରେ ଅନୁଭୂ୍ତ ଭୂକମ୍ପରେ ୨୮ଜଣ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ୨୦୧୫ରେ ହିନ୍ଦୁକୁଶ୍‌ ପର୍ବତମାଳା ଅଞ୍ଚଳରେ ସଂଘଟିତ ୭.୫ ମାତ୍ରାର ଭୂକମ୍ପରେ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୯୮ରେ ରୋସ୍ତାକ ଓ ବଡ଼ାଖ୍‌ସାନ୍‌ଠାରେ ହୋଇଥିବା ଦୁଇଟି ଭୂକମ୍ପରେ ୭ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

Spread the love