
କଟକ : କଟକରେ କରୋନା ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଗୋଟିଏ ତଥ୍ୟ ଦେଉଥିବାବେଳେ ଜିଲ୍ଲା ପ୍ରଶାସନ ଆଉ ଗୋଟିଏ ତଥ୍ୟ ଦେଉଛନ୍ତି। ସେହିଭଳି, ସତୀଚୌରା ଶ୍ମଶାନରେ ଯେତିକି େକାଭିଡ୍ ମୃତକଙ୍କ ଶବଦାହ କରାଯାଉଛି, ପ୍ରଶାସନର ଚିତ୍ର ତା’ଠାରୁ ଢେର୍ ପଛରେ ରହିଛି। ଫଳରେ, କଟକରେ ବି କରୋନା ମୃତ୍ୟୁକୁ ନେଇ ଏକ ଦ୍ବନ୍ଦ୍ବ ବଢ଼ିବାରେ ଲାଗିିଛି।
ସତୀଚୌରା ଶ୍ମଶାନରେ ରହୁଥିବା ରେକର୍ଡ ଅନୁଯାୟୀ ଜୁନ ମାସରେ ୧ରୁ ୨୫ ତାରିଖ ମଧ୍ୟରେ ୭୧୧ଟି ଚିତା ଜଳିଛି। ଅର୍ଥାତ ହାରାହାରି ଭାବେ ପ୍ରତ୍ୟେକ ଦିନ ଏଠାରେ ୨୮ରୁ ଅଧିକ ମୃତକଙ୍କ ସତ୍କାର ହେଉଛି। କିନ୍ତୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପୋର୍ଟାଲ ତଥ୍ୟ ଅନୁସାରେ କରୋନାର ଉଭୟ ପ୍ରଥମ ଓ ଦ୍ବିତୀୟ ଲହରରେ କଟକ ଜିଲ୍ଲାରେ ଏଯାଏ ମାତ୍ର ୨୬୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ତାହା ବି ଏହି ସଂଖ୍ୟା ସହିତ ମେଳ ଖାଉ ନାହିଁ। ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁଯାୟୀ କରୋନା ସଂକ୍ରମଣ ଏବଂ କରୋନା ସଂକ୍ରମିତ ହୋଇ ଅନ୍ୟ ରୋଗରେ ଆରମ୍ଭରୁ ଏଯାଏ ଜିଲ୍ଲାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୩୧୭। ଏଭଳି ପରସ୍ପର ସହିତ ମେଳ ଖାଉ ନଥିବା ତଥ୍ୟ କରୋନାରେ ବାସ୍ତବ ମୃତ୍ୟୁସଂଖ୍ୟାକୁ ନେଇ ବିବାଦୀୟ କରିଛି।
କରୋନାରେ ସଂକ୍ରମିତ ହୋଇ ଦୀର୍ଘ ଦିନ ଧରି ହସ୍ପିଟାଲରେ ରହି ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ କୋଭିଡ୍ ମୃତ୍ୟୁ ଭାବେ ଗଣା ନ ଯିବା ଏବେ ବିବାଦର କାରଣ ହୋଇଛି। କିନ୍ତୁ ଏହା ଏକପ୍ରକାର ବାସ୍ତବତାର ବିରୋଧୀ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ ଯଦି ତାହା କରୋନା ମୃତ୍ୟୁ ନୁହେଁ ତେବେ ମୃତକଙ୍କୁ ସାଧାରଣ ଭାବେ ସଂସ୍କାର କରାନଯାଇ କୋଭିଡ୍ କଟକଣା ଭିତରେ ସ୍ବତନ୍ତ୍ର ଶ୍ମଶାନରେ ସତ୍କାର କରାଯାଉଛି କାହିଁକି? ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଏଭଳି କରାଯାଉଛି ବୋଲି କହି ଏ ସଂପର୍କରେ ନିର୍ଦ୍ଦିଷ୍ଟ ମତ ରଖିବାକୁ ଏବେ କୌଣସି ବିଶେଷଜ୍ଞ ଅଥବା ପ୍ରଶାସକ ଆଗକୁ ଆସୁ ନାହାନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍