October 18, 2024

Satya News

odia news channel

ହୀରାକୁଦ ଜଳଭଣ୍ଡାର ବିସ୍ଥାପନ ମାମଲାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡ଼ିଲା ଜାତୀୟ ମାନବ ଅଧିକାର ଆୟୋଗ

 

ନୂଆଦିଲ୍ଲୀ: ହୀରାକୁଦ ଜଳଭଣ୍ଡାର ବିସ୍ଥାପନ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ଠାରୁ ‘ଜାତୀୟ ମାନବ ଅଧିକାର ଆୟୋଗ’(ଏନ୍‌ଏଚ୍‌ଆର୍‌ସି) ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି ।

ଏଥିସହିତ ‘ଏନ୍‌ଏଚ୍‌ଆର୍‌ସି’ ବିସ୍ଥାପନ ମାମଲାର ସଦ୍ୟତମ ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ରାପୋଟିୟର୍‌ ବି. ବି. ମିଶ୍ରଙ୍କୁ ବିସ୍ଥାପନ ପ୍ରସଙ୍ଗରେ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହିତ ତଦନ୍ତ ଶେଷ କରି ଚୂଡ଼ାନ୍ତ ରିପୋର୍ଟ ଆଠ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି।

ବିଶ୍ବର ଅନ୍ୟତମ ଉତ୍କୃଷ୍ଟ ଜଳଭଣ୍ଡାର ‘ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ’ ଯୋଗୁଁ ବ୍ୟାପକ ମାତ୍ରାରେ ବିସ୍ଥାପନ କରାଯାଇଥିବା ତଥା ୨୬୦୦୦ ବିସ୍ଥାପିତ ପରିବାରଙ୍କ ଥଇଥାନ ଓ ପୁନର୍ବାସ ପାଇଁ ଦୁଇ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ସୁପ୍ରିମ୍‌ କୋର୍ଟର ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଦାଖଲ ପିଟିସନ୍‌ ଆଧାରରେ ‘ଜାତୀୟ ମାନବ ଅଧିକାର ଆୟୋଗ’ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି।

ଉପଯୁକ୍ତ କ୍ଷତିପୁରଣ ତଥା ପୁନର୍ବାସ ବ୍ୟବସ୍ଥା କରା ନ ଯାଇ ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ ପାଇଁ ୨୬୦୦୦ ଲୋକଙ୍କୁ ବିସ୍ଥାପନ କରାଯାଇଥିବା କଥା ପିଟିସନ୍‌ରେ ତ୍ରିପାଠୀ ଅଭିଯୋଗ କରିଛନ୍ତି। ପ୍ରକଳ୍ପର କାର୍ଯ୍ୟକାରିତା ଯୋଗୁଁ ୧୨୩,୦୦୦ ଏକର ଜମିରେ ଥିବା ପ୍ରାୟ ୩୬୦ଟି ଗାଆଁ ଜଳମଗ୍ନ ହେବା ଯୋଗୁଁ ୧ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା କଥା ମଧ୍ୟ ତ୍ରିପାଠୀ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବିସ୍ଥାପିତଙ୍କୁ  ନ୍ୟାୟ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ  ଦୁଇ ରାଜ୍ୟର ବିସ୍ଥାପିତ ପରିବାର ଏବେ ବି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ସେ କହିଛନ୍ତି।

Spread the love