December 3, 2025

୧୦୦୦ତମ ଦିନିକିଆରେ ଭାରତର ସହଜ ବିଜୟ

 

ଅହମ୍ମଦାବାଦ : ଭାରତୀୟ କ୍ରିକେଟ୍‌ ଇତିହାସରେ ୧୦୦୦ତମ ଦିନିକିଆ ମ୍ୟାଚ୍‌କୁ ସହଜରେ ଜିତି ଭାରତ ଏହାକୁ ସ୍ମରଣୀୟ କରିଦେଇଛି । ରବିବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ୬ ୱିକେଟରେ ଭାରତ ପରାସ୍ତ କରିଛି। ଦୁଇ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦର ମିଳିତ ଭାବେ ୭ଟି ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ୍‌ ୪୩.୫ ଓଭରରେ ୧୭୬ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ୨୮ ଓଭରରେ ୪ ୱିକେଟ ହରାଇ ଭାରତ ଜିତିଥିଲା। ଏହି ବିଜୟ ସହ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ବୁଧବାର ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ।ଗତ ୧୬ ବର୍ଷ ହେଲା ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିିତିନଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଏହି ଶୃଙ୍ଖଳାରେ ମଧ୍ୟ ବଡ଼ ଦାବିଦାର। ସହଜ ବିଜୟ ସହ ଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୧୧ଶ ଦିନିକିଆ ଶୃଙ୍ଖଳା ଜିତିବାର ନିକଟତର ଭାରତ ହୋଇପାରିଛି।
ଭାରତ ଚମତ୍କାର ଢଙ୍ଗରେ ୧୭୭ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିଲା। ଓପ୍‌ନିଂ ଯୋଡ଼ିରେ ଭାରତ ୧୩ ଓଭରରେ ୮୪ ରନ୍‌ କରିଥିଲା। ଏହି ଭାଗିଦାରୀରେ ରୋହିତ ପ୍ରାଧାନ୍ୟ ବିସ୍ତାରକରି ୫୧ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୬୦ ରନ୍‌କରି ଆଉଟ ହୋଇଥିଲେ। ଏହାସହ ୩୨ ରନ୍‌ରେ ଭାରତ ୪ଟି ୱିକେଟ ହରାଇଥିଲା। କେ.ଏଲ୍‌. ରାହୁଲଙ୍କ ଅନୁପସ୍ଥିତିରେ ଓପ୍‌ନିଂର ସୁଯୋଗ ପାଇଥିବା ଇଶାନ୍‌ କିଷନ୍‌ ଜଗିରଖି ଖେଳି ୩୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୮ ରନ୍‌କରି ଆଉଟ ହୋଇଥିଲେ। ବିରାଟ କୋହଲି ୨ଟି ଚୌକାମାରି ୮ ରନ୍‌କରି ଆଉଟ ହୋଇ ଯାଇଥିଲେ। ଋଷଭ ପନ୍ତ୍ ୨ଟି ଚୌକା ସହ ୧୧ ରନ୍‌କରି ରନ୍‌ଆଉଟ ହୋଇ ଯାଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଏବଂ ପଦାର୍ପଣ କରିଥିବା ଦୀପକ ହୁଡା ଆଉ ୱିକେଟ ପଡ଼ିବାକୁ ନ ଦେଇ ଦଳକୁ ଜିତାଇଥିଲେ। ଦୁହେଁ ଅବିଭାଜିତ ୫ମ ୱିକେଟ ପାଇଁ ୬୨ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ଯାଦବ ୩୬ ବଲ୍‌ରୁ ୫ଟି ଚୌକା ସହ ୩୪ ଏବଂ ହୁଡା ୩୨ ବଲ୍‌ରୁ ୨ଟି ଚୌକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ଆଲ୍‌ଜାରି ଜୋସେଫ୍ ୨ଟି ୱିକେଟ ନେଇଥିଲେ।

ଟସ୍ ଜିତି ଭାରତ ଫିଲ୍‌ଡିଂ ନେଇଥିଲା। ଆରମ୍ଭରୁ ୱେଷ୍ଟଇଣ୍ଡିଜ୍‌ ନିୟମିତ ୱିକେଟ ହରାଇଥିଲା। ୭୯ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ୭ଟି ୱିକେଟ ହରାଇବା ପରେ ଏହା ୧୦୦ ରନ୍‌ ପାରକରିବା କଷ୍ଟକର ଲାଗୁଥିଲା। ତେବେ ଜେସନ୍‌ ହୋଲ୍‌ଡର ଓ ଫାବିଏନ୍‌ ଆଲେନ୍ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ୮ମ ୱିକେଟ ପାଇଁ ୭୮ ରନ୍‌ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ୯ ରନ୍‌ରେ ଶେଷ ୩ଟି ୱିକେଟ ହରାଇ ୧୭୬ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ଅଲ୍‌ଆଉଟ ହୋଇ ଯାଇଥିଲା। ହୋଲ୍‌ଡର ୭୧ ବଲ୍‌ରୁ ୪ଟି ଛକା ସହ ୫୭ ରନ୍‌ କରିଥିଲେ। ଆଲେନ୍‌ ୪୩ ବଲ୍‌ରୁ ୨ଟି ଚୌକା ସହ ୨୯ ରନ୍‌ କରିଥିଲେ। ପୂର୍ବରୁ ଡ୍ୟାରେନ୍ ବ୍ରାଭୋ ଓ ନିକୋଲାସ୍‌ ପୁରନ୍‌ ୧୮ ରନ୍‌ ଲେଖାଏଁ କରିଥିଲେ। ବ୍ରାଣ୍ଡନ୍‌ କିଙ୍ଗ୍‌ ୧୩ ଓ ସମାରା ବ୍ରୁକ୍‌ସ ୧୨ ରନ୍‌ କରିଥିଲେ। ଅଧିନାୟକ କୈରନ୍ ପୋଲାର୍ଡ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ଚହଲ ୪ଟି, ସୁନ୍ଦର ୩ଟି ଓ ପ୍ରସିଦ୍ଧ କୃଷ୍ଣ ୨ଟି ୱିକେଟ ନେଇଥିଲେ। ୟୁଜବେନ୍ଦ୍ର ଚହଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Spread the love