October 21, 2025

୧୫ ଦିନରେ ଏସ୍‌ସିବିରେ ଲାଗିବ ଏକ୍‌ମୋ ୟୁନିଟ୍

 

କଟକ : ଦୁଇ ସପ୍ତାହ ଭିତରେ କଟକ ବଡ ଡାକ୍ତରଖାନା ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ  ଉଦ୍‌ଘାଟିତ ହେବ ଏକ୍‌ମୋ(ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ୍) ୟୁନିଟ୍। ଏନେଇ ଯଦିଓ ତାରିଖ ବିଧିବଦ୍ଧଭାବେ ଘୋଷଣା କରାଯାଇନି ତଥାପି ଜୁଲାଇ ମାସର ମଧ୍ୟଭାଗ ସୁଦ୍ଧା ଏହି ୟୁନିଟ୍‌କୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରଖାଯାଇଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏସ୍‌ସିବିରେ ଏକ୍‌ମୋ ୟୁନିଟ୍‌ ଉଦ୍‌ଘାଟନ ପରେ ରାଜ୍ୟରେ ପ୍ରଥମ ମେଡିକାଲ କଲେଜ ଭାବେ ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ଖୋଲିବାର ଗୌରବ ଅର୍ଜନ କରିବ।

ଅନ୍ୟପଟେ ଏସ୍‌ସିବିରେ  ଖୁବ୍‌ଶୀଘ୍ର ଗୋଟିଏ ଏକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ୍ କରାଯିବା ପାଇଁ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ତିନୋଟି ଆସିବାର ଯୋଜନା ରହିଥିବାବେଳେ ଓଡିଶାକୁ ଗୋଟିଏ ମେସିନ୍‌ ଆସି ସାରିଥିବା ଜଣାପଡିଛି। ୧୦ତାରିଖ ସୁଦ୍ଧା ତିନୋଟି ମେସିନ୍‌ ଆସିବାର ଯୋଜନା ରହିଥିବା ସୂଚନା ମିଳିଛି। ଏକ୍‌ମୋ  ୟୁନିଟ୍‌ ପାଇଁ ଏସ୍‌ସିବିରେ ୭ଜଣ ପରଫ୍ୟୁଜିନିଷ୍ଟ, ଇଇଜି ଟେକ୍ନିସିଆନ ପଦ ପାଇଁ ଚୟନ ପ୍ରକ୍ରିୟା ସରିଥିବାବେଳେ ସିଟିଭିଏସ୍‌ ବିଭାଗରେ ପୂର୍ବରୁ ଜଣେ ପ୍ରଫେସରଙ୍କ ସମେତ ୩ଜଣ ଡାକ୍ତର ଥିବାବେଳେ ଏବେ ଓପିଏସ୍‌ସି ମାଧ୍ୟମରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ମିଳିଛି। ଦିଲ୍ଲୀ ଏମ୍‌ସରେ ୧୧ଜଣ କାର୍ଡିଓଥୋରାସିସ୍‌ ସର୍ଜନ ଥିବାବେଳେ ଏହାପରେ ଭାରତରେ ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗରେ ୪ଜଣ ବିଶେଷଜ୍ଞ ରହିଥିବା ଜଣାପଡିଛି। ସାରା ଭାରତରେ କାର୍ଡିଓଥୋରାସିସ୍ ସର୍ଜନଙ୍କ ଅଭାବ ରହିଛି। କିନ୍ତୁ ଆଗାମୀ ଦିନରେ ଏସ୍‌ସିବିରେ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତି ସହିତ ୧୦ଟି ଏକ୍‌ମୋ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Spread the love