July 8, 2025

୩ ଦଶନ୍ଧି ପରେ ମୟୂରଭଞ୍ଜକୁ କେନ୍ଦ୍ରମନ୍ତ୍ରୀ ପଦ

Shri Bishweswar Tudu calls on the Prime Minister, Shri Narendra Modi, at 7, Lok Kalyan Marg, New Delhi on July 07, 2021.

 

ବାଲେଶ୍ବର, (ଦିବ୍ୟଜ୍ୟୋତି ବେହେରା): ଶେଷଥର ପାଇଁ ୯୦ ଦଶକରେ ମୟୂରଭଞ୍ଜରୁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ଭାଗେ ଗୋବର୍ଦ୍ଧନ। ଏହି ଦିବଂଗତ ନେତା ଆଇଏଏସ୍‌ ଅଫିସରରୁ ରାଜନେତା ପାଲଟିଥିଲେ । ଏହାପରଠାରୁ ସୁଶୀଳା ତିରିଆ, ସାଲଖାନ ମୁର୍ମୁ, ସୁଦାମ ମାରାଣ୍ଡି, ଲକ୍ଷ୍ମଣ ଟୁଡ଼ୁ, ରାମଚନ୍ଦ୍ର ହାଁସଦା ୫ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ କେହି ମନ୍ତ୍ରୀପଦ ପାଇନଥିଲେ। ତେବେ ଇଞ୍ଜିନିୟରରୁ ରାଜନେତା ହୋଇଥିବା ବର୍ତ୍ତମାନର ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ବିଶ୍ବେଶ୍ବର ଟୁଡ଼ୁ ଏହି ଅପେକ୍ଷାର ଅନ୍ତ ଘଟାଇଛନ୍ତି। ନିଜ ପ୍ରଥମ ପାଳିରେ ହିଁ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।

୨୦୧୪ରେ ମୋଦୀ ସରକାର ଶାସନକୁ ଆସିବା ପରଠାରୁ ମୟୂରଭଞ୍ଜକୁ ଟାର୍ଗେଟ୍‌ କରିଥିଲା ଦଳ। ୨୦୧୫ରେ ଏହି ଜିଲ୍ଲାର ଟାଣୁଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ବ ମିଳିଥିଲା। ବିଜେପିର ଏହି ଗୋଟି ଚାଳନା ଆଦିବାସୀ ସଂପ୍ରଦାୟ ଓ ମହିଳା ଗୋଷ୍ଠୀଙ୍କୁ ଟାଣିବାରେ ସମର୍ଥ ହୋଇଥିଲା। କେବଳ ସେତିକି ନୁହେଁ, ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳକୁ ଏହାର ଫାଇଦା ବି ମିଳିଥିଲା। ଜିଲ୍ଲାରେ ବିଜେଡିକୁ ଶୋଚନୀୟ ଭାବେ ପରାସ୍ତ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହା‌ତେଇ ଥିଲା ବିଜେପି। ୨୦୧୯ ସାଧାରଣ ନିର୍ବାଚନରେ ଏହି ସଫଳତାକୁ ଦୋହରାଇଥିଲା ବିଜେପି। ଯଶିପୁର, ସାରସକଣା, ରାଇରଙ୍ଗପୁର, ଉଦଳା, ବାରିପଦା, ବଡ଼ସାହି ଭଳି ୬ଟି ବିଧାନସଭା ଆସନ ଓ ମୟୂରଭଞ୍ଜ ଲୋକସଭା ଆସନକୁ ହାତେଇ ବିଜେଡିକୁ ବହୁ ପଛରେ ଛାଡ଼ି ଦେଇଥିଲା।

ଅନ୍ୟପକ୍ଷରେ ଓଡ଼ିଶାର ସର୍ବବୃହତ ଜିଲ୍ଲାରୁ ମାତ୍ର ୩ଟି ବିଧାନସଭା ଆସନ ପାଇଥିବା ବିଜେଡି ଗତ ନିର୍ବାଚନ ବେଳର ଭୁଲ୍‌ ସୁଧାରିବାକୁ ୨ ବର୍ଷ ହେଲା ଜୋର୍‌ଦାର ପ୍ରୟାସ ଚଳାଇଛି। ପ୍ରଥମେ ଟାଣୁଆ ନେତା ସୁଦାମ ମାରାଣ୍ଡିଙ୍କୁ ଦଳ କ୍ୟାବେନେଟ୍‌ ମନ୍ତ୍ରୀ କରିବା ସହ ଅରୁଣ ସାହୁଙ୍କ ବଦଳରେ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ବବି ଦାୟିତ୍ବ ନେବାପରଠାରୁ ସଙ୍ଗଠନକୁ ସଜାଡ଼ିବାରେ ଲାଗିଛନ୍ତି। ଘନଘନ ବୈଠକ ସହ ନୂଆ ପୁରୁଣା, ସବୁ ନେତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଫଳସ୍ବରୂପ ଗତ ବର୍ଷକ ମଧ୍ୟରେ ୨ଟି ଜିଲ୍ଲା ପରିଷଦ ଜୋନ୍‌ର ଉପ ନିର୍ବାଚନରେ ବିଜେପିକୁ ମାତ୍‌ ଦେଇଛି ବିଜେଡି। ବବିଙ୍କ ନେତୃତ୍ବରେ ବିଜେଡି ବଳ ଗୋଟାଉଥିବା ବେଳେ ବିଜେପିର ସଙ୍ଗଠନ ଦୁର୍ବଳ ହେବାରେ ଲାଗିଥିଲା। ଏମିତିକି ଏକାଧିକ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ି ବିଜେଡିରେ ମିଶିବା ଭଳି ସଙ୍କଟ ମୁଣ୍ଡ ଟେକିଥିଲା। ଏ ନେଇ ବିଜେପିର ଶୀର୍ଷ ନେତୃତ୍ବ ମଧ୍ୟ ଚିନ୍ତିତ ଥିଲେ। ଏଭଳି ପରିସ୍ଥିତିରେ ନିଜ ଗଡ଼କୁ ସୁରକ୍ଷିତ ରଖିବାକୁ ଯାଇ ବିଜେପି ଆଦିବାସୀ କାର୍ଡ଼ ଖେଳି ଶ୍ରୀ ଟୁଡୁଙ୍କୁ ମନ୍ତ୍ରୀ ପଦ ଦେଇଛି। ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ଜୁଏଲ ଓରାମ୍‌ଙ୍କ ପରି ଓଡ଼ିଶାରୁ ବହୁ ଟାଣୁଆ ସାଂସଦ ଥିଲେ ମଧ୍ୟ ଅପେକ୍ଷାକୃତ କମ୍‌ ଚର୍ଚ୍ଚାରେ ଥିବା ସାଂସଦ ବିଶେଶ୍ବର ଟୁଡ଼ୁଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରି ମୟୂରଭଞ୍ଜରେ ବିଜେଡିକୁ ଚେକ୍ ଦେବାକୁ ଦଳର ସୁଚିନ୍ତିତ ରଣନୀତି କୌଶଳ ବୋଲି କୁହାଯାଉଛି।

ବିଶ୍ବେଶ୍ବର: ଇଞ୍ଜିନିୟରରୁ କେନ୍ଦ୍ରମନ୍ତ୍ରୀ
ବିଶ୍ବେଶ୍ବର: ଇଞ୍ଜିନିୟରରୁ କେନ୍ଦ୍ରମନ୍ତ୍ରୀବାରିପଦା,୭/୭(ଇମିସ): ୧୯୬୫ ମାର୍ଚ୍ଚ ୨୮ ତାରିଖରେ ମୋରଡ଼ା ବ୍ଲକ୍‌ ସାନମୁଣ୍ଢାବଣି ପଞ୍ଚାୟତ ଖୁଣ୍ଟାପାଳ ଉଚ୍ଚାଖାଇ ଗାଁରେ ଜନ୍ମଲାଭ କରିଥିଲେ ବିଶ୍ବେଶ୍ବର। ପିଲା ଦିନରୁ ମେଧାବୀ ଥିବା ବିଶ୍ବେଶ୍ବର ଖୁଣ୍ଟାପାଳ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ଗାଁ ପାଖ ପାରେଶ୍ବର ବିଦ୍ୟାପୀଠରୁ ୧୯୮୧ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍‌ ପାସ୍‌ କରିଥିଲେ। ଏହାପରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଉରକେଲାସ୍ଥିତ ସରକାରୀ ପଲିଟେକ୍‌ନିକ୍‌ରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍‌ କରିଥିଲେ। ୧୯୮୫ରେ ଶିକ୍ଷା ସମାପ୍ତି ପରେ ଅବିଭକ୍ତ ଢେଙ୍କାନାଳ (ଏବେ ଅନୁଗୁଳ) ଜିଲ୍ଲାରେ ଥିବା ରେଙ୍ଗାଳି ଡ୍ୟାମ୍‌ ପ୍ରୋଜେକ୍ଟରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଗତ ୩ ଦଶନ୍ଧି ଧରି ସେ ବନବାସୀ କଲ୍ୟାଣ ବିଦ୍ୟାଳୟ ସହ ଜଡ଼ିତ ରହିଛନ୍ତି।

୨୦୧୨ରେ ସାନମୁଣ୍ଢାବଣି ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ଲଢ଼େଇ କରି ପରାଜିତ ହୋଇଥିଲେ ବିଶ୍ବେଶ୍ବର। ତେବେ ୨୦୧୯ରେ ହଠାତ୍‌ ତାଙ୍କୁ ଲୋକସଭା ଟିକେଟ୍‌ ଦେଇ ଚମକାଇ ଦେଇଥିଲା ବିଜେପି। ୨୫ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ବାଜି ମାରି ନେଇଥିଲେ ବିଶ୍ବେଶ୍ବର। ସାଂସଦ ହେବା ପରଠାରୁ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ, ରାଜ୍ୟ ବିଜେପି ଏସ୍‌ଟି ମୋର୍ଚ୍ଚାର ସଭାପତି ଓ ମଧ୍ୟପ୍ରଦେଶର ସହ ପ୍ରଭାରୀ ଭାବେ ବିଭିନ୍ନ ଦାୟିତ୍ବ ଦେଇଥିଲା ଦଳ।

Spread the love