September 17, 2025

୮ ବର୍ଷ ହେଲା ପାଇଖାନା ଘରେ ବିତୁଛି ଜୀବନ, କାଗଜପତ୍ର ନଥିବାରୁ ମିଳୁନି ଆବାସ

 

ପୋଲସରା : ବ‌ର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୮ ବର୍ଷ ହେଲା ପାଇଖାନା ଘରେ ବିତୁଛି ଜୀବନ। ଦୁଇ ପାଇଖାନା ଘରକୁ ଭାଙ୍ଗି ମଝିରେ ପାଚେରି ବାନ୍ଧି ମୁରବିଙ୍କ ସମେତ ୮ ପ୍ରାଣୀ ଏଠାରେ ମୁଣ୍ଡ ଗୁଞ୍ଜିଛନ୍ତି। ସରକାରୀ ଆବାସ ଏହି ପରିବାର ପାଇଁ ଯେମିତି ସ୍ନପ୍ନ ପାଲଟିଛି। ପ୍ରଶାସନ କହୁଛି, ହିତାଧିକାରୀ ନିଜ ଗାଁରେ ଥିବା ଘର ବିକି ଅନ୍ୟ ଜାଗାକୁ ଆସିବା ପରେ ତାଙ୍କର ଆବଶ୍ୟକ କାଗଜପତ୍ର ନଥିବାରୁ ଆବାସ ଯୋଜନାରେ ସେ ସାମିଲ ହୋଇପାରୁନାହାନ୍ତି। ପକ୍କା ଘର ନମିଳିବା ହେଉଛି ନିରାଟ ସତ କଥା। ହେଲେ ୮ ବର୍ଷ ହେଲା ଏହି ପରିବାର ପାଇଖାନା ଘର ଭିତରେ ରହୁଥିବା ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ ମାନଙ୍କ କିଭଳି ଦୃଷ୍ଟି ପଡ଼ିପାରିନି, ଏହା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଛି।

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ କଳମ୍ବ ପଞ୍ଚାୟତ ଦେଉଳପଲ୍ଲୀ ଗ୍ରାମର ମୂଳବାସିନ୍ଦା ହେଉଛନ୍ତି ସତ୍ୟବାନ ପ୍ରଧାନ। ଜମିବାଡ଼ିରେ କାମ କଲେ ପରିବାର ପ୍ରତିପୋଷଣ ହୋଇଥାଏ। କିନ୍ତୁ କୌଣସି କାରଣରୁ ସେ ଗାଁରେ ଥିବା ନିଜର ଘରକୁ ୨୦୧୩ ମସିହାରେ ବିକ୍ରି କରିଥିଲେ। ଆଉ ପୋଲସରା ଏନଏସି ଉପକଣ୍ଠ ଧାଡ଼ିଆମ୍ବରେ ଶରତ ଚନ୍ଦ୍ର ପ୍ରଧାନଙ୍କ ଠାରୁ ଏକ ଜମି କିଣି ସେଠାରେ ଏକ କୁଡ଼ିଆ କରି ପରିବାର ସହ ରହୁଛନ୍ତି। ଏହାମଧ୍ୟରେ ଆବାସ ପାଇଁ ସତ୍ୟବାନ ବହୁବାର ବ୍ଲକ୍ କାର୍ଯ୍ୟାଳୟରେ ଆବେଦନ କରିଥିଲେ। କିନ୍ତୁ ସତ୍ୟବାନଙ୍କ ଜମି ଏନଏସି ପରିସରଭୁକ୍ତ ହୋଇଥିବାରୁ ତାଙ୍କୁ ଆବାସ ପାଇଁ ଅର୍ଥ ମିଳିବିନି ବୋଲି ବ୍ଲକ୍ କର୍ତ୍ତୃପକ୍ଷ କହିଥିଲେ। ସେଥିପାଇଁ ନିଜର ଭୋଟର କାର୍ଡ଼ ଓ ଆଧାର କାର୍ଡ଼ ପରିବର୍ତ୍ତନ କରି ପୋଲସରା ଏନଏସିରେ ନାମ ପଞ୍ଜୀକୃତ କରିବାବୁ ସତ୍ୟବାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହାମଧ୍ୟରେ ପତ୍ନୀ ସୁଲତା ଓ ବୋହୂ ବନିତା ପ୍ରଧାନ ପାଇଖାନା ନିର୍ମାଣ ପାଇଁ ଆବେଦନ କରିଥିଲେ। କିନ୍ତୁ ସୁଲତା ପାଇଖାନା ନିର୍ମାଣ ବାବଦକୁ ୧୨ହଜାର ଟଙ୍କା ପାଇଥିଲେ। ହେଲେ ଅର୍ଥ ମିଳିବା ଆଶାରେ ଶାଶୂ ଓ ବୋହୂ ମିଶି ଦୁଇଟି ପ୍ୟାନ୍ ବସାଇଥିଲେ। କିନ୍ତୁ ଅନୁଦାନ ମିଳିଲାନି। ଶେଷରେ ମଝି କାନ୍ଥକୁ ଭାଙ୍ଗି ସେହି ଘରେ ମୁରବି ସତ୍ୟବାନଙ୍କ ସମେତ ଆଠଜଣ ସଦସ୍ୟ ରହୁଛନ୍ତି।

ଆଜି ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶୋଭନ କୁମାର ବେହେରା ସତ୍ୟବାନଙ୍କ କୁଡ଼ିଆକୁ ଯାଇ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ଘରର ପଟ୍ଟା ଓ ଅନ୍ୟାନ୍ୟ କାଗଜପତ୍ର ଅନୁଧ୍ୟାନ ପରେ ଏଦିଗରେ ପଦକ୍ଷେପ ନିଆଯିବ। ବିଡିଓ ସୁରଞ୍ଜନ କୁମାର ସାହୁଙ୍କ ସହ କରିବାରୁ ସେ କହିଛନ୍ତି, ସତ୍ୟବାନଙ୍କ ନାମ ଦେଉଳପଲ୍ଲୀର ଭୋଟର ତାଲିକାରେ ରହିଛି। କିନ୍ତୁ ସରକାରଙ୍କ ଯୋଜନା ମୁତାବକ ସମସ୍ତ ପ୍ରମାଣପତ୍ର ନଥିବାରୁ ସତ୍ୟବାନ ଆବାସ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି।

Spread the love