October 18, 2024

Satya News

odia news channel

ନୂଆସାହି ଛେଳିଆନାଳ ବିଦ୍ୟାଳୟରୁ ପାନୀୟଜଳ ସଂକଟ ଦୂର ହେବ କେବେ?

 

ଝୁମ୍ପୁରା: ସଂପ୍ରତି ସରକାର ଯେଉଁ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ପିଇବା ପାଣିର ସୁବିଧା ନାହିଁ ସେଠାରେ ତୁରନ୍ତ ପାନୀୟ ଜଳର ସୁବିଧା କରିବା ପାଇଁ ସରକାର ଜିଲାପ୍ରଶାସନକୁ କଡା ନିର୍ଦେଶ ଦେଇଛନ୍ତି ସତ କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ଯେଉଁ ବିଦ୍ୟାଳୟରେ ପାନୀୟ ସଂକଟ ରହିଛି ସେହି ବିଦ୍ୟାଳୟଗୁଡିକୁ ଚିହ୍ନଟ କରି ସେଠାରେ ପାନୀୟ ଜଳର ସୁବିଧା କରିବାରେ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତ ନୂଆସାହି ଛେଳିଆ ନାଳରେ ସରକାର ପକ୍ଷରୁ ୨୦୧୪ ମସିହରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ବିଦ୍ୟାଳୟ ସ୍ଥାପନ ହେବା ପରେ ସରକାର ତରଫରୁ ଏହି ବିଦ୍ୟାଳୟକୁ ତୁରନ୍ତ ଆବଶ୍ୟକ ଶ୍ରେଣୀ ଗୃହ ଏବଂ କାର୍ଯ୍ୟାଳୟ ଯୋଗାଇ ଦେଇଛନ୍ତି। ଏହି ବିଦ୍ୟାଳୟରେ ବର୍ତ୍ତମାନ ୪୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଶ୍ରେଣୀ ନିର୍ମାଣ ହେବା ସହିତ ବିଦ୍ୟାଳୟର ଚାରି ପାଖରେ ପାଚେରୀ ମଧ୍ୟ ନିର୍ମାଣ ହୋଇଛି ସତ କିନ୍ତୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପାନୀୟ ଜଳ ବିବ୍ୟସ୍ଥା ହୋଇପାରିଲା ନାହିଁ। ସାହିଠାରୁ ୧ କିମି ଦୂରରେ ବିଦ୍ୟାଳୟ ସ୍ଥାପନ ହୋଇଥିବାରୁ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇବା ପୂର୍ବରୁ ହାତ ଧୋଇବା କିମ୍ବା ଖାଇ ସାରିବା ପରେ ଥାଳି ଧୋଇବା ପାଇଁ ୧ କିମି ଦୂରରେ ଥିବା ନଳକୂଅ ଉପରେ ନିର୍ଭର କରୁଛନ୍ତି। ସ୍କୁଲର ପାଚିକା ଏବଂ ସହାୟିକାମାନେ ମଧ୍ୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ୧ କିମି ଦୂରରୂ ପାଣି ଆଣି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଶ୍ରେଣୀ ଗୃହଠାରୁ ଆରମ୍ଭ କରି ପାଚେରୀ ନିର୍ମାଣ କରୁଛନ୍ତି କିନ୍ତୁ ପିଲାଙ୍କ ନିତ୍ୟାନ୍ତ ଆବଶ୍ୟକ ହେଉଥିବା ପିଇବା ପାଣିର ସୁବିଧା କରୁନଥିବା ଦେଖିବାକୁ ମିଳିଛି ଏହି ବିଦ୍ୟାଳୟରେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ସତ କିନ୍ତୁ ଶୌଚାଳୟ ସଂପୂର୍ଣ୍ଣ କେବେ ହେବ ତାହା କହିବା ମୁସ୍କିଲ ହୋଇପଡିଛି। ନିର୍ମାଣାଧିନ ପାଇଖାନା ଘର ଭିତରେ ବର୍ତ୍ତମାନ ଉଇହୁଙ୍କା ଉଠି ଶୌଚାଳୟ ଗୃହକୁ ତାଙ୍କ ଅଧିନକୁ ନେଇ ରଖିଛନ୍ତି ତଥାପି ଶୌଚାଳୟ ସଂପୂର୍ଣ୍ଣ ହେବାର ନାଁ ଧରୁନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ବିଦ୍ୟାଳୟର ଶିକ୍ଷକ ଗୌର ମହାନ୍ତଙ୍କୁ ଶୌଚାଳୟ କାହିଁକି ସଂପୂର୍ଣ୍ଣ କରାଯାଉନାହଁ ବୋଲି ବୁଝିବାର ସେ କହନ୍ତି ବିଭାଗ ପକ୍ଷରୁ ଯେତିକି ଅର୍ଥ ଆସିଥିଲା ସେତିକି ଅର୍ଥରେ ଏତିକି କାମ ହୋଇଛି ବାକି କାମ କରିବା ପାଇଁ ଅର୍ଥ ଆସୁ ନ ଥିବାରୁ ଶୌଚାଳୟ ସଂପୂର୍ଣ୍ଣ ହୋଇପାରୁ ନାହିଁ ବୋଲି କହିଥିଲେ।

Spread the love