January 23, 2026

ପଞ୍ଜାବ ସୀମାନ୍ତରୁ ଜବତ ହେଲା ଡ୍ରୋନ

 

ଫିରୋଜପୁର: ପାକିସ୍ତାନ ସୀମାକୁ ଲାଗିଥିବା ପଞ୍ଜାବର ଫିରୋଜପୁର ଅଞ୍ଚଳରୁ ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନମାନେ ଏକ ଡ୍ରୋନ ଜବତ କରିଛନ୍ତି। ଏହି ହେକ୍ସାକପ୍ଟର (ଡ୍ରୋନ) ଶୁକ୍ରବାର ରାତିରେ କମ୍‍ ଉଚ୍ଚତାରେ ଉଡୁଥିବା ସ୍ଥାନୀୟ ଲୋକ ପ୍ରଥମେ ଦେଖିବାକୁ ପାଇଥିଲେ। ଏହି ଘଟଣା ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନଙ୍କ ନଜରକୁ ଆସିବା ପରେ ସେମାନେ ତାହାକୁ ତଳକୁ ଖସାଇ ଦେଇଥିଲେ। ଡ୍ରୋନଟି ପାକିସ୍ତାନ ପଟୁ ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିବା ଜଣାଯାଇଛି ଏବଂ ଏହା ଚୀନରେ ନିର୍ମିତ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି। ବିଏସଏଫର ବରିଷ୍ଠ ଅଧିକାରୀମାନେ ଡ୍ରୋନକୁ ଖସାଇ ଦିଆଯାଇଥିବା ଅଞ୍ଚଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ସୀମା ଆରପଟୁ ଡ୍ରୋନ ସାହାଯ୍ୟରେ ଭାରତ ମଧ୍ୟରେ ଥିବା ଆତଙ୍କିଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ଚୋରାରେ ଚାଲାଣ କରିବାକୁ ଉଦ୍ୟମ ଜାରି ରହିଥିବାବେଳେ ସଜାଗ ଭାରତୀୟ ଯବାନମାନେ ତାହାକୁ ଗୋଟିଏ ପରେ ଗୋଟିଏ ପଣ୍ଡ କରିବାରେ ଲାଗିଛନ୍ତି।

Spread the love