September 19, 2024

Satya News

odia news channel

ଆୟୁଷ ଡାକ୍ତର ମହାସଂଘର ଚେତାବନୀ, ଦାବୀ ପୂରଣ ନ ହେଲେ ଆମରଣ ଅନଶନ

 

ଭୁବନେଶ୍ୱର : ଆମ୍ଭେମାନେ ଆରମ୍ଭରୁ କଠିନ ପରିଶ୍ରମ କରି ଆସୁଛୁ। ରୋଗୀ ସେବାରେ ସବୁ ସମୟ ଦେଉଛୁ। ସରକାରଙ୍କ ଡ଼ାକ୍ତର ଅଭାବ ଜନିତ ସମସ୍ୟା ଦୂର କରିବା ସହ ଲୋକପ୍ରିୟତା ବୃଦ୍ଧି କରିଛୁ। ବନ୍ୟା, ବାତ୍ୟା ଓ କୋଭିଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡ଼ାକ୍ତରଖାନା ମାନଙ୍କରେ ଏଲୋପାଥିକ ଡ଼ାକ୍ତରମାନଙ୍କର ଅଭାବ ଥିଲାବେଳେ ଆମେ ସମସ୍ତ ପିଏଚସି ଓ ସିଏଚସି ଉପସ୍ଥିତ ରହି ରୋଗୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଆସୁଛୁ। ହେଲେ ଆମର ଦୁଃଖ, କଷ୍ଟ ଓ ମାନସିକ ଯନ୍ତ୍ରଣା ସରକାର ହୃଦୟଙ୍ଗମ କରିପାରୁ ନାହାଁନ୍ତି ବୋଲି ଓଡ଼ିଶା ଆୟୁୁଷ ଡ଼ାକ୍ତର ମହାସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ଗହନ ପ୍ରକାଶ କରିଛନ୍ତି।

 

ଏପରିକି ସ୍ୱିପର, ପିଅନ ଏବଂ ଏଏନ୍ଏମ୍ ମାନଙ୍କ ଠାରୁ କମ୍ ବେତନ ଆମ୍ଭେମାନେ ପାଉଛୁ। ସରକାର ମଧ୍ୟ ଆମ୍ଭମାନଙ୍କୁ ସ୍କିମ୍ ଚାକିରୀ କରିଛ କହି କଟା ଘା’ରେ ଚୁନ ମାରୁଛନ୍ତି। ବାରମ୍ବାର ସରକାରଙ୍କୁ ଓଡ଼ିଶା ଆୟୁଷ ଡ଼ାକ୍ତର ମହାସଂଘ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ଏବଂ ଗୁହାରି କରି ଆସୁଥିଲେ ମଧ୍ୟ, ଫାଇଲ୍ ଯାଇଛି, ଅର୍ଥମନ୍ତ୍ରଣାଳୟ ମଞ୍ଜୁର ଦେଲାପରେ ଦେଖିବା , ଫାଇଲ୍ ପୁଟ୍ଅପ ପାଇଁ କହିବା ଏହିଭଳି ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ଆମ୍ଭମାନଙ୍କୁ ମାନସିକ ଯନ୍ତ୍ରଣା ଭିତରେ ରଖିଛନ୍ତି। ଆଜି ପୁଣି ମହାସଂଘର କର୍ମକର୍ତ୍ତାମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବି ସମ୍ପର୍କରେ ଆଲୋଚନା କରିଥିବା ବେଳେ ପୁଣି ସେହି ପୁରୁଣା କଥା, ଦେଖିବା, ବୁଝିବା ଓ କରିବା ବୋଲି ମନ୍ତ୍ରୀ କହିଛନ୍ତି। ଏଣୁ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ସରକାର ତୁରନ୍ତ ସେମାନଙ୍କ ଦାବି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ମହାସଂଘର ସମସ୍ତ କର୍ମକର୍ତ୍ତାମାନେ ଆମରଣ ଅନଶନ କରି ଜୀବନ ହାରିବେ ସିନା, ଖାଲି ହାତରେ ଘରକୁ ଫେରିବେ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ଆୟୁଷ ଡ଼ାକ୍ତର ମହାସଂଘ ତରଫରୁ ଗତ ୨ ତାରିଖରୁ ବିଧାନସଭା ସମ୍ମୁଖରେ ନିଜର ଦାବି ପୂରଣ ପାଇଁ ଧାରଣା ଦେଇ ଆସୁଅଛି ଏବଂ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି।

Spread the love