
ନୂଆଦିଲ୍ଲୀ : ଦୀର୍ଘ ୭ ପର୍ଯ୍ୟାୟର ଆଲୋଚନା ପରେ ବିଜେପି ସହିତ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମେଣ୍ଟ ଚୂଡ଼ାନ୍ତ ହୋଇଛି । ବିଜେପିର ପଞ୍ଜାବ ପ୍ରଭାରୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଅମରିନ୍ଦରଙ୍କ ମଧ୍ୟରେ ଆଲୋଚନା ପରେ ମେଣ୍ଟକୁ ମୋହର ଲାଗିଛି। ଆଗକୁ କେବଳ ଆସନ ବୁଝାମଣା ବାକି ରହିଛି ଏବଂ ଏହା ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଶୁକ୍ରବାର ଅମରିନ୍ଦର କହିଛନ୍ତି। ଅମରିନ୍ଦର କଂଗ୍ରେସ ସହିତ ଦୀର୍ଘ ୪୦ବର୍ଷର ସମ୍ପର୍କ ତୁଟାଇ ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ପରେ ଦଳ ପରିତ୍ୟାଗ କରିଥିଲେ। ନଭେମ୍ବରରେ ସେ ନିଜସ୍ବ ଦଳ ‘ପଞ୍ଜାବ ଲୋକ କଂଗ୍ରେସ’ ଗଠନ କରିଥିଲେ। କୃଷି ଆଇନକୁ ନେଇ ବିଜେପିଠାରୁ ଅକାଳୀ ଦଳ ଦୂରେଇ ଯିବା ପରେ ଅମରିନ୍ଦରଙ୍କ ଦଳ ଏହାର ନୂଆ ସହଯୋଗୀ ହୋଇଛି; ତେବେ ଅମରିନ୍ଦର ପଞ୍ଜାବରେ ବିଜେପି ସହିତ ବଡ଼ ଭାଇ ଭୂମିକା ନିଭାଇବାକୁ ଉଦ୍ୟମ କରୁଛନ୍ତି। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଥିବା ଅମରିନ୍ଦର କହିଛନ୍ତି। ଏହି ଅବସରରେ ଅମରିନ୍ଦର କହିଛନ୍ତି ଯେ ପଞ୍ଜାବ ନିର୍ବାଚନରେ ମେଣ୍ଟ ବିଜୟୀ ହେବା ସହ ସରକାର ଗଢିବା ନିଶ୍ଚିତ। ପ୍ରତିଟି ଆସନକୁ ତର୍ଜମା କରାଯାଇ ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ବୋଲି ଅମରିନ୍ଦର କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍