September 19, 2024

Satya News

odia news channel

କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର

 

ନୟାଗଡ ୧୮।୧୨: ନୟାଗଡ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ, ଜିଲ୍ଲା ସଭାପତି ରଣଜିତ୍‌ ଦାଶଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ୧୯୭୧ ଯୁଦ୍ଧ ଏବଂ କାରଗିଲ ଯୁଦ୍ଧରେ ଦେଶ ପାଇଁ ଲଢିଥିବା ଏବଂ ସହିଦ ହୋଇଥିବା ସେନାଙ୍କ ପରିବାର ସଦସ୍ୟଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହିତ ଦଳରେ ନିଯୁକ୍ତ ହୋଇଥିବା ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଚେଲ୍ଲା କୁମାର । ପରେ ଅନ୍ୟ ଦଳରୁ ଆସି କଂଗ୍ରେସ ଦଳରେ ଯୋଗ ଦେଇଥିବା କିଛି ଲୋକଙ୍କୁ ଦଳକୁ ସ୍ଵାଗତ କରାଯାଇଥିଲା । ବୈଠକ ପରେ ଚେଲ୍ଲା କୁମାର ଉଭୟ  ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

କଂଗ୍ରେସ ସରକାର ସମୟରେ ନୟାଗଡ ଜିଲ୍ଲାରେ ୩୦ହଜାର ଏକର ଚାଷ ଜମିକୁ ପାଣି ମଡାଇବା ପାଇଁ ୪ଟି ଇରିଗେସନ୍‌ ପ୍ରୋଜେକ୍ଟ ତିଆରି କରାଯାଇଥିଲା । ବିଜେଡି ସରକାର ସମୟରେ ନୂଆ କରାଯିବା ପରିବର୍ତ୍ତେ ତିଆରି ହୋଇଥିବା ପ୍ରୋଜେକ୍ଟ ନଷ୍ଟ ହୋଇଯାଇଥିବା ଚେଲ୍ଲା କୁମାର ଅଭିଯୋଗ କରିଛନ୍ତି । ଛତିଶଗଡ ସରକାର କେନ୍ଦ୍ର ସରକାରଙ୍କ ଏମ୍‌.ଏସ.ପି. ବାଦ ଚାଷୀଙ୍କୁ ଅଧିକ ୨୫୦୦ଟଙ୍କା  ଧାନ କ୍ବିଣ୍ଟାଲ ପିଛା ଦେଉଥିବା ବେଳେ ଓଡିଶା ସରକାର ଟଙ୍କାଟିଏ ଦେଉନଥିବା ସେ ଅଭିଯୋଗ କରିଛନ୍ତି । କାଳିଆ ଯୋଜନାରେ ରାଜ୍ୟ ସରକାର ୭୫ଲକ୍ଷ ଚାଷୀଙ୍କୁ ୧୦ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ । ହେଲେ କେନ୍ଦ୍ର ସରକାର ୬ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର କେବଳ ୪ହଜାର ଟଙ୍କା ଦେଉଛି । ତାହା ପୁଣି କେବଳ ୩୦ହଜାର ଚାଷୀଙ୍କୁ ବୋଲି ସେ ଅଭିଯୋଗ କରିଛନ୍ତି ।

କଂଗ୍ରେସ ସରକାର ସମୟରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଇଣ୍ଡଷ୍ଟ୍ରୀ କରିବା ପାଇଁ କଂଗ୍ରେସ ସରକାର ଟାଟାକୁ ୨୦ହଜାର ଏକର ଜାଗା ଦେଇଥିଲେ । ହେଲେ ୨୧ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ କୌଣସି କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ସେ କହିଛନ୍ତି । ତୃଣମୂଳସ୍ତରରେ କଂଗ୍ରେସର ସମର୍ଥନ ଅଛି ତେବେ ଆମେ ତାହାକୁ ନିଜ ପାଖକୁ ଆଣିବାକୁ ଫେଲ୍‌ ହେଉଛୁ । ତେବେ ଆଗକୁ ଆମେ ଲୋକଙ୍କ ପାଖକୁ ଯିବୁ ଏବଂ ଆଗାମୀ ନିର୍ବାଚନରେ କଂଗ୍ରେସ ନିଶ୍ଚୟ ଭଲ କରିବ ବୋଲି ସେ କହିଛନ୍ତି ।

Spread the love