
ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାରେ ଆଜି ସିସିଟିଭି ଯାଞ୍ଚ କରାଯାଇଛି। ସିସିଟିଭ ଯାଞ୍ଚ ପରେ ଜଣେ ବ୍ୟକ୍ତି ରୋଷଘରେ ପ୍ରବେଶ କରିଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ି ନାହିଁ। ପୁଲିସ ପକ୍ଷରୁ ସିସିଟିଭି ତଦନ୍ତ ଜାରି ରହିଛି। ସିସିଟିଭି ଯାଞ୍ଚ ସମୟରେ ମହାସୁଆର ନିଯୋଗର ସଭାପତି ନାରାୟଣ ମହାସୁଆର ଓ ଅନ୍ୟ କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଫାଣ୍ଡି କଣ୍ଟ୍ରୋଲ ରୁମରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା।
ସୂଚନାଯୋଗ୍ୟ, ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ଗତକାଲି ୨ ଜଣିଆ କମିଟି ଗଠିତ ହୋଇଥିଲା। ସୁରକ୍ଷା ପ୍ରଶାସକ ଭିଏସ୍ ଚନ୍ଦ୍ରଶେଖର ରାଓ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଧୋପଖାଳ, ପାଇକ, ଦ୍ବାରପାଳିଆ ଓ ଅଙ୍ଗାରିଆ ସେବାୟତଙ୍କୁ ଜେରା କରାଯାଇଛି।
ଶ୍ରୀମନ୍ଦିର ରୋଷଘରେ ଗତକାଲି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଥିଲା। ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି। ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି। ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି। ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଂଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି। କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଗତକାଲି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍