August 25, 2025

ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ବିଷୟରେ ଚର୍ଚ୍ଚା ଚାଲିଥିବା ବେଳେ ଅମିତ ଶାହଙ୍କୁ ଭେଟିଲେ ସିନ୍ଦେ ଓ ଫଡ଼ନବୀସ

ନୂଆଦିଲ୍ଲୀ: ଚଳିତ ସପ୍ତାହର ପ୍ରାରମ୍ଭରେ ନୂଆ ସରକାର ଗଠିତ ହେବା ପରେ ମନ୍ତ୍ରୀ ପରିଷଦ୍‌ ସମ୍ପ୍ରସାରଣ ପ୍ରସଙ୍ଗରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ଶୁକ୍ରବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ।

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିବା ସିନ୍ଦେ ଓ ଫଡ଼ନବୀସ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ‘ବିଜେପି’ ମୁଖ୍ୟ ଜେ.ପି. ନଡ୍ଡାଙ୍କୁ ମଧ୍ୟ ଭେଟିବେ ବୋଲି ଦଳର କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।

ଦିଲ୍ଲୀରେ ପହଞ୍ଚିବା କ୍ଷଣି ସିନ୍ଦେ ଓ ଫଡ଼ନବୀସ ମହାରାଷ୍ଟ୍ର ସଦନକୁ ଯାଇଥିଲେ। ନବଗଠିତ ମହାରାଷ୍ଟ୍ର ସରକାରରେ ‘ବିଜେପି’ ଏବଂ ସିନ୍ଦେଙ୍କ ନେତୃତ୍ବାଧୀନ ‘ଶିବସେନା’ଗୋଷ୍ଠୀଙ୍କ ମଧ୍ୟରେ କ୍ଷମତା ବଣ୍ଟନ ପ୍ରସଙ୍ଗକୁ କେନ୍ଦ୍ର କରି ସେମାନେ ଶାହଙ୍କ ସଙ୍ଗରେ ଆଲୋଚନା କରିଥିଲେ ବୋଲି ଦଳର କାର୍ଯ୍ୟକର୍ତ୍ତାମା‌ନେ କହିଛନ୍ତି।

ସିନ୍ଦେ ଓ ଫଡ଼ନବୀସଙ୍କ ସହ ଆଲୋଚନା ବେଳେ ଉଠାଯାଇଥିବା ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ପୋଷ୍ଟ୍‌ କରି ଶାହ ଲେଖିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍‌ଦର୍ଶନରେ ଆପଣ ଦୁହେଁ ନିଷ୍ଠାର ସହ ଜନତାଙ୍କ ସେବା କରିବେ ଏବଂ ମହାରାଷ୍ଟ୍ରକୁ ଉନ୍ନତିର ନୂତନ ଶିଖରକୁ ନେଇଯିବେ ବୋଲି ମୁଁ ସୁନିଶ୍ଚିତ।

ସୂଚନାଯୋଗ୍ୟ, ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ୧୫ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଅନୁରୋଧ କରି ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ‘ଶିବସେନା’ ସୁପ୍ରିମ୍‌ କୋର୍ଟରେ ଦାଏର କରିଥିବା ପିଟିସନ୍‌ର ଗୁରୁତ୍ବପୂର୍ଣ୍ଣ ଶୁଣାଣି ପୂର୍ବରୁ ଦୁହେଁ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୧ ତାରିଖରେ ଉକ୍ତ ପିଟିସନ୍‌ର ଶୁଣାଣି ହେବ।

Spread the love