August 24, 2025

ସିଦ୍ଧମହାବୀର ରେଳ ଓଭର ବ୍ରିଜ୍ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଦ୍ଵନ୍ଦ୍ବ, ଉପଯୁକ୍ତ କ୍ଷତିପୂରଣ ଦାବି କଲେ କ୍ଷତିଗ୍ରସ୍ତ

 

ପୁରୀ ୨୬।୮: ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭର ବ୍ରିଜ ନିର୍ମାଣ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏବେ ଦ୍ଵନ୍ଦ୍ବ ଉପୁଜିଛି ।‌ ଅନେକ ଗୁଡ଼ିଏ ଜମିର ମାଲିକାନା ଶ୍ରୀମନ୍ଦିର ପ୍ରଶାସନର ରହିଥିବାରୁ ସେଠାରେ ବସବାସ କରୁଥିବା ଅଧିବାସୀମାନେ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିବା ସହ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଜମି ସମସ୍ୟା ସମାଧାନ ମଞ୍ଚ ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ମାଟିଆପଡ଼ା ଓ ମାଟିତୋଟା ମୌଜାର ଶତାଧିକ କ୍ଷତିଗ୍ରସ୍ତ ପ୍ରଜା ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କହିଛନ୍ତି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ବ ମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସନ ଉଦ୍ଦେଶ୍ୟର ସ୍ମାରକପତ୍ର ଦିଆଯାଇଛି । ମଠ ମନ୍ଦିର ଜମିରେ ପ୍ରଜା ସତ୍ତ୍ବ ଅଧିକାର ବଳରେ ସ୍ଥାନୀୟ ରୟତ ଭାବେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ସ୍ଥାୟୀ ଜମି ପଟ୍ଟା ଦିଆଯାଉ, ମାଟିଆପଡା ମୌଜାର ପ୍ରଜାଙ୍କ ନାମରେ ଟେନାଣ୍ଟ ଲେଜର ଖୋଲାଯାଇ ସରକାର ପାଉତି ନେଉଥିବା ବେଳେ ଉକ୍ତ ଜମି ମନ୍ଦିର ନାମରେ କିପରି ହେବ ଓ ମନ୍ଦିର ଜମିର କ୍ଷତିପୂରଣ ରାଶି ପାଇବେ ସେ ନେଇ ତୁରନ୍ତ ଫଇସଲା କରାଯାଉ ।

ଏହାସହ ପ୍ରଜାଙ୍କ ଜମି ମୂଲ୍ୟ ୨୦୧୪ ମସିହା ପରିବର୍ତ୍ତେ ୨୦୨୨ ମସିହା ବଜାର ମୂଲ୍ୟରେ କୋଠାର ମୂଲ୍ୟ ମୂଲ୍ୟାଙ୍କନ କରି କ୍ଷତିପୂରଣ ଦିଆଯାଉ । ଶ୍ରୀଜଗନ୍ନାଥ ମନ୍ଦିର ଜମିଦାର ପ୍ରଜାଙ୍କୁ ପ୍ରଜା ସତ୍ତ୍ବ ଦେଇ ଖଜଣା ନେଇ ପ୍ରଜାଙ୍କ ଅଧିକାର ଛଡାଇ ନେବା ବନ୍ଦ କରିବା, ପୁରୀ ମୁନିସପାଲିଟି ଲିଜ୍ ଆଧାରରେ ବାସ କରୁଥିବା ପ୍ରଜାଙ୍କୁ ତୁରନ୍ତ ସ୍ଥାୟୀ ଜମି ପଟ୍ଟା ଯୋଗାଇ ଦେବାକୁ ଦାବି କରାଯାଇଛି । ଏହା ନହେଲେ ରେଳ ଓଭରବ୍ରିଜ ନେଇ ଅସହଯୋଗ କରାଯିବା ସହ ରାସ୍ତାରୋକ କରାଯାଇ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

Spread the love