ଭୁବନେଶ୍ୱର : ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ବ ଦେବାକ୍ରମରେ ସୋମବାର ୧୦ଟି ପ୍ରସ୍ତାବକୁ ଏକକ ବାତାୟନ କମିଟି(ଏସଏଲଏସଡବ୍ଲ୍ୟୁସିଏ) ଅନୁମୋଦନ ମିଳିଛି। ଏଥିରେ ୨୦୦୫.୮୯କୋଟି ଟଙ୍କାର ନିବେଶ ସହିତ ୩୫୪୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଏହାବ୍ୟତୀତ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ।
ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସଏଲଏସଡବ୍ଲୁସିଏ ବୈଠକରେ ପୁଞ୍ଜି ବିନିଯୋଗ ପ୍ରସ୍ତାବର ଆର୍ଥିକ ଏବଂ ବୈଷୟିକ ବିବରଣୀ ଉପସ୍ଥାପନ କରିଥିଲେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା। ଅଧିକାଂଶ ପ୍ରକଳ୍ପ ମଧ୍ୟରେ ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ଆଦି ରହିଛି। ତେବେ ପ୍ରକଳ୍ପଗୁଡିକ ଯେଭଳି ନିର୍ଦିଷ୍ଟ ସମୟ ସୀମା ଭିତରେ ଶେଷ ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ। ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା ଜିଲାରେ ସୁମା ରିଅଲ୍ ମିଡିଆ ପିଭିଟି ଫାର୍ମାସ୍ୟୁଟିକାଲ୍ ଉତ୍ପାଦନ ଏବଂ ଅନୁସନ୍ଧାନ ୟୁନିଟ୍ ପ୍ରତିଷ୍ଠା କରିବ। ଏଥିଲାଗି ୨୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୧୨୮୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି କମ୍ପାନୀ ୨୦୫.୪୪ କୋଟି ପୁଞ୍ଜି ନିବେଶରେ ଯାଜପୁରରେ ସାନଭିରା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କାର୍ବନ ଇଲେକ୍ଟ୍ରୋଡ ପେଷ୍ଟ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୨୬୦ ଜଣଙ୍କୁ ନିଯୁକ୍ତି ମିଳିବ। ସାଇ ବଲ୍କ ବ୍ୟାଗ୍ ପ୍ରାଇଭେଟ ଲି. କମ୍ପାନୀ ଜଗତସିଂହପୁରରେ କେମିକାଲ୍ସ ଉତ୍ପାଦନ (ସଲଫ୍ୟୁରିକ୍ ଏସିଡ୍, ସର୍ଫାକ୍ଟାଣ୍ଟ) ଏବଂ ସୂକ୍ଷ୍ମ କପଡା ଉତ୍ପାଦନ ଲାଗି ୧୩୫ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ସେଠାରେ ୩୦୧ ଜଣଙ୍କୁ ନିଯୁକ୍ତି ମିଳିବ। ଯାଜପୁରରେ ୨୬୧ କୋଟି ଟଙ୍କାରେ ୟୁନାଇଟେଡ୍ ଫେରୋକାଷ୍ଟ୍ ପ୍ରାଇଭେଟ ଲି. କମ୍ପାନୀ ଫେରୋ ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୩୭୬ଲୋକଙ୍କୁ ନିଯୁକ୍ତି ମିଳିବ। କେନ୍ଦୁଝରରେ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍ ପ୍ରା. ଲି. ୭୭୫ କୋଟି ଟଙ୍କା ନିବେଶ କରିବ ଏବଂ ଏହାଦ୍ବାରା ୩୧୪ ଲୋକଙ୍କୁ ନିଯୁକ୍ତି ମିଳିବ। କଟକରେ ଓରିକ୍ଲିନ ପ୍ରା. ଲି. କମ୍ପାନୀ ୮୮ କୋଟି ବିନିଯୋଗରେ ସସ୍, ଜାମ, ଜେଲି ଏବଂ ମାର୍ମାଲେଡ୍ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୧୬୦ଜଣଙ୍କୁ ନିଯୁକ୍ତି ଦେବାକୁ ରହିଛି । ସେହିଭଳି ଖୋର୍ଦ୍ଧାରେ ଡିଏନ ସି ସେଲ୍ସ ପ୍ରାଇଭେଟ ଲି. କମ୍ପାନୀ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିବ। ଏଥିରେ ୫୦.୪୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୪୦୯ଜଣଙ୍କୁ ନିଯୁକ୍ତି ମିଳିବ। ଝାରସୁଗୁଡାରେ ରୁନୟା ଆଲୁମିନିୟମ୍ ପ୍ରା ଲି. କମ୍ପାନୀ ଆଲୁମିନିୟମ୍ ପାଉଡର୍ ଏବଂ ପିଗମେଣ୍ଟସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିଲାଗି ୮୦ କୋଟି ଟଙ୍କା ବିନିଯୋଗ ହେବାକୁ ରହିଥିବାବେଳେ ୧୨୫ ଜଣଙ୍କୁ ନିଯୁକ୍ତି ମିଳିବ। ଗଞ୍ଜାମ ଗୋପାଳପୁରଠାରେ ମେ’ଫେୟାର ହୋଟେଲ ଏବଂ ରିସର୍ଟ ଲିମିଟେଡ୍ ମେଫେୟାର ପାମ୍ ବିଚ ରିସର୍ଟର ସମ୍ପ୍ରସାରଣ କରିବ। ଏଥିଲାଗି କମ୍ପାନୀ ୮୫କୋଟି ଟଙ୍କା ବିନିଯୋଗ କରିବ ଏବଂ ୧୨୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯାଜପୁରରେ ନରେଶ କୁମାର ଆଣ୍ଡ କୋ ପ୍ରାଇଭେଟ ଲି. କମ୍ପାନୀ ୧୨୫କୋଟି ଟଙ୍କା ବିନିଯୋଗରେ ଲଜିଷ୍ଟିକ ପାର୍କ ପ୍ରତିଷ୍ଠା କରି ୨୦୦ ଜଣଙ୍କୁ ନିଯୁକ୍ତି ଦେବେ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି